(ବ୍ରଜନାଥ ବଡ଼ଜେନା)
ଦୂତୀ ରତିପତି ଭୀତି ଅତିରେକ ହୋଇଲା
ହୃଦୟେ ଉଦୟ ହୋଇ କାମାନଳ ଦହିଲାରେ । ଘୋଷା ।
ଆନ ହେତୁ କିଛି ନାହିଁ ଆନନକୁ ମୋର ସହୀ
ଆନନ୍ଦେ ନନ୍ଦନନ୍ଦନ ଏକମାତ୍ର ଚାହିଁଲା । ୧ ।
ନାସା ଫୁଲାଇବା ରୀତି ସୁସ୍ମିତ ମିଶା ଭାରତୀ
ତା ଚାରୁଠାର ଚାହାଣୀ ଆନକୁ ତ ନଇଲା । ୨ ।
ଦୂରୁଁ ଚାହିଁଲା କ୍ଷଣି ସେ ଚାରୁ ଭୂରୁ ନାଟ ରସେ
କରୁଁ କରୁଁ କରୁ ମୋର କୁମ୍ଭ ଖସି ପଇଲା । ୩ ।
କଟୀ ତଟେ ପୀତାମ୍ବର ପଟ୍ଟ ପିନ୍ଧା ଆଡ଼ମ୍ବର
ହଟି ଚିତ୍ତ ବଟି ନେଇ ନଟ ସିନା ସାଇଲା ଗୋ । ୪ ।
ବ୍ରଜନାଥ ହୋଇ ରତା ଭାଷେ ଭାସିଯିବ ଚିନ୍ତା
ରସା ରସରାଶିକି ତୁ ଭେଟି ଗୋପୀ ବୋଇଲା । ୫ ।