(ଉପେନ୍ଦ୍ର ଭଞ୍ଜ— ରାଗ କଳହଂସ କେଦାର, ତାଳ ଖେମଟା)
ଦ୍ୱିତୀୟା ଯାମିନୀରେ ମୋ ପ୍ରାଣସହୀ
ଦିନେ ପଲଙ୍କେ ଥିଲା ମୋ କୋଳେ ଶୋଇ ଯେ ।
କୁସୁମବତୀ ହୋଇ ଅବନୀ ଶୋଭା
ତଳପ ତେଜି ତଳେ ହୋଇଛି ଉଭା ଯେ । ୧ ।
କେତେବେଳେ ଚେତନା ପାଇଲି ମୁଁ ଯେ
ଲୋଡ଼ିଲି ପ୍ରାଣପ୍ରିୟା ନାହିଁ ମୋ ଶେଯେ ଯେ ।
ହେ ଜୀବେଶ୍ୱରୀ ବୋଲି ଡାକନ୍ତେ ପୁଣି
ଚତୁରୀ ନ କହିଲା ତେବେହେଁ ବାଣୀ ଯେ । ୨ ।
ପ୍ରଦୀପ ହତ ଦେଖି କରନ୍ତେ ଲୋଡ଼ା
ତକ୍ଷଣେ ଫେଇଦେଲା ଗବାକ୍ଷ ପୁଡ଼ା ଯେ ।
ଚନ୍ଦ୍ରକିରଣେ ଚନ୍ଦ୍ରମୁଖ ଦିଶିଲା
ବସନାଞ୍ଚଳ ମୁଖେ ଦେଇ ହସିଲା ଯେ । ୩ ।
ଏଡ଼େ କପଟ କିମ୍ପା ନିଜ ଦାସକୁ
ବୋଲି ମୁଁ ଯାନ୍ତେ ପ୍ରାଣପ୍ରିୟା ପାଶକୁ ଯେ ।
ଗଭାରୁ କବରୀର କୁସୁମ ତିନି
ଘେନି ପକାଇ ଦେଲା ଘନଜଘନୀ ଯେ । ୪ ।
ଦେଖି କାତର ହେଲା ହୃଦୟ ମୋର
ରୋମକେ କାଣ୍ଡେ କାଣ୍ଡେ ବିନ୍ଧିଲା ସ୍ମର ଯେ ।
ଧାତାକୁ ନିନ୍ଦା କଲି ପୁରୁଷ ହୋଇ
ପୁରୁଷେ ଏଡ଼େ ଦଣ୍ଡ ଦେଲା କିମ୍ପାଇଁ ଯେ । ୫ ।
କହଇ ଉପଇନ୍ଦ୍ର ଭଞ୍ଜ ଏ ଗୀତେ
ହର ପୂଜିବି ମୁହିଁ କାନ୍ତା ନିମନ୍ତେ ଯେ ।
ସେବାରେ ମନାଇଁବି ପାର୍ବତୀବର
ବନ୍ଧୁ ମୋ କୋଳରୁ ନୋହିବ ଅନ୍ତର ଯେ । ୬ ।