(ଉପେନ୍ଦ୍ର ଭଞ୍ଜ— ରାଗ କେଦାର କାମୋଦୀ, ତାଳ ତ୍ରିପଟା)
ଏ ଘୋର ବରଷା କାଳେ ପ୍ରିୟା ରସା
ରସ ଆଦରରେ ବସିଥିବ । ଘୋଷା ।
ବନପତି ପତି ପତି ପରେ ଦୃଷ୍ଟି
ଦେଇଣ ସନ୍ତାପ କରୁଥିବ
ଗିରୀଶ ମଣି ସେ ଭାରା ନିବାରିଣୀ
ନେତ୍ର ଅମ୍ବୁଜରେ ମଣ୍ଡୁଥିବ । ୧ ।
ସୁନାଶୀର ଧନୁ ଟଙ୍କାର ଶବଦେ
ଅବଳା ଚମକି ପଡ଼ୁଥିବ
ରବିସୁତ ପରେ ଇନ୍ଦ୍ର ବାହନକୁ
ଦେଇଣ ନିରୋଧ କରୁଥିବ । ୨ ।
ବିଷ୍ଣୁ ବାହନଙ୍କ ଅରି ଧରା ପରେ
ବସି ମୋ ସଙ୍ଗତେ କହୁଥିବ
ଘରର ଘରଣୀ ବାହନ ରିପୁ ଦନ୍ତ
ପଲଙ୍କ ତେଜ୍ୟା ସେ କରୁଥିବ । ୩ ।
ଘୋର ବନେ ଦେଖି ବସେ ଚନ୍ଦ୍ରମୁଖୀ
ଚଉଦିଗକୁ ନିରେଖୁଥିବ
ଉପଇନ୍ଦ୍ର ଭଣି ସେ ମନମୋହିନୀ
ପିଣ୍ଡରେ କି ପ୍ରାଣ ରଖିଥିବ । ୪ ।