(ବନମାଳୀ— ରାଗ ମତିଆରୀ, ତାଳ ଆଠତାଳି)
ଏ ଯୁବା କାଳରେ କାନ୍ତ ଛାଡ଼ି ନ ଯା ଦୂର ଦେଶ
ସହି କି ପାରିବି କ୍ଷଣେ ଦୁଃସହ ବିଚ୍ଛେଦ କ୍ଳେଶ । ଘୋଷା ।
ଦେଖ ବସନ୍ତ ଆଗତ ବହେ ଦକ୍ଷିଣା ମରୁତ
ବନପ୍ରିୟ ପକ୍ଷୀ ରୁତ କଲେଣି ବୃକ୍ଷେ ବିଶେଷ । ୧ ।
ଚନ୍ଦନ ରଜନୀକର ମୋ ପକ୍ଷରେ ହେବ ଗର
ଜାଣି ଜାଣି ହାଣି ମୋତେ ସ୍ମରାନଳେ ନ ନିବେଶ । ୨ ।
ଭାଳି ଭାଳି ଅହରହ ବଳି ପଡ଼ିବ ବିରହ
ଜହର ସମାନ ହେବ ଅଶନ ବସନ ବେଶ । ୩ ।
ଏ ପିଣ୍ଡେ ପରାଣ ଧରି ରହିବି ମୁହିଁ କିପରି
ତୁମ୍ଭ ଗୁଣ ଗୁଣି ଗୁଣି ଜୀବନ ହେବ ନିଃଶେଷ । ୪ ।
ବୋଧି ବନମାଳୀ ଭଣେ ଦୁଃଖ କରୁ କି କାରଣେ
ତୋ ପାଶେ ଭେଟିବ ଧନ ବରଷା ନୋହୁଁ ପ୍ରବେଶ । ୫ ।