(ଗୋପାଳକୃଷ୍ଣ— ରାଗ ନାଦରାମକେରୀ, ତାଳ ଯତି)
ଏ କି ପରମାଦ ଆସି ପଡ଼ିଲା ମା
ଦଣ୍ଡେ ତ ଶ୍ୟାମ ସଙ୍ଗ ନ ଛାଡ଼ିଲା ମା । ଘୋଷା ।
ସେହି ବରହ ଉତ୍ତଂସ ସେହି ନଟବର ବେଶ
ଯେଣେ ଗଲେ ଆଗେ ରହି ଏଡ଼ିଲା ମା । ୧ ।
ଚଳି ଯେତେ ପରି କଳି କଲେ ଶିଖଣ୍ଡ ମଉଳି
ନ ଛଳି କର ଶିରରେ ଯୋଡ଼ିଲା ମା । ୨ ।
ରୋଷେ ମୁଁ ଅଧର ଦଂଶି ବେଣୀ ଶେଷରେ ପ୍ରେୟସୀ
ମାରୁ ମାରୁ ହୃଦେ ହସି ଜଡ଼ିଲା ମା । ୩ ।
କେଉଁ ପଥେ କେ ନ ଜାଣୁ ଯାଇ ସେ ମୁଁ ନ ଯାଉଣୁ
ନିତି ମୋର ଶେଯରେ ପହୁଡ଼ିଲା ମା । ୪ ।
ଗୋପାଳକୃଷ୍ଣ ଭାଷଣ ବୃଷଭାନୁ ଜେମା ଶୁଣ
ସେ ପ୍ରେମସିନ୍ଧୁରେ ଚିତ୍ତ ବୁଡ଼ିଲା ମା । ୫ ।