(ଯଶୋବନ୍ତ)
ଗାଈ ଭଲା ଭୁଲାଇ ଲୋ
ନିରତେ ବେଉସା ଖାଇ
ଗାଈ ପଛେ ଯେବେ ଗଉଡ଼ ଥାଆନ୍ତା
ବେଉସା ଖାଆନ୍ତା ନାହିଂ । ଘୋଷା ।
ଗାଈର ମହିମା କି ଦେବି ଉପମା
ଗାଈର ଶୂନ୍ୟେ ଗୁହାଳ
ଗାଈ ପଛେ ପଛେ ପାଞ୍ଚଟି ବାଛୁରୀ
ସଦା ଗାଈଟି ଦୁହାଂଳ । ୧ ।
ଗାଈ ଗୋଳଚେରୁ କ୍ଷୀର ଦେଉ ଅଛି
କଳନା ନାହିଂ ତାହାର
ସେହି କ୍ଷୀରକୁ ତୁ ମନ୍ଥିଲେ ନିଶ୍ଚୟ
ଲବଣୀ ହେବ ବାହାର । ୨ ।
ସେହି ଲବଣୀକୁ ଅଗ୍ନିରେ ରଖିଲେ
ତହୁଂ ବାହାରଇ ଘୃତ
ସେହି ଘୃତକୁ ତୁ ପାନୀୟ କରିଲେ
ଅଙ୍ଗ ହୁଏ ପୁଲକିତ । ୩ ।
ଏପରି ଗାଈକି ଘରେ ବାନ୍ଧିଅଛୁ
ତୋହର କାହାକୁ ଭୟ
କହେ ଯଶୋବନ୍ତ ସେ ପାଦେ ଶରଣ
ଗାଈକି ନାହିଂ ଉପାୟ । ୪ ।