(କବିସୂର୍ଯ୍ୟ— ରାଗ କଲ୍ୟାଣ, ତାଳ ଯତି)
ଗଜଗତେ ଏ ଜଗତେ
ତୁ କାହାର ଚମ୍ପାଝରା ରେ । ଘୋଷା ।
ନୟନ ମୋର ଏ ଭୂଲୋକରେ
ମନ ନାଗ ନାକ ଦ୍ୱିଲୋକରେ
ବୁଲୁଛି ଯେ ଭୁଲୁଛି ସେ
ନାହିଁ ନାହିଁ ତୋହ ପରା ରେ । ୧ ।
କି ତପ କରିଛି କେତେ ଯୁଗ
ଜିତ ପଙ୍କଜ ତୋ ପଦଯୁଗ
ସୁହାସୀ ରେ ଯାହା ଶିରେ
ଧରୁଅଛି ବସୁନ୍ଧରା ରେ । ୨ ।
ମୁଖ ସିତପଞ୍ଚଦଶୀପତି
ଲାବଣ୍ୟ ନିକୁରମ୍ବର ଶ୍ରୁତି
ଶେଷ କହି ଶେଷ ନୋହି
ହୋଇଅଛି ତ ଅଧୁରା ରେ । ୩ ।
ସୁର ଶିଖରି ଗରବ ଚୋର
ଉରସିଜ କୁମ୍ଭ ବାଳା ତୋର
ନବତନୁ ନବତନୁ
ଲତା ଭାଜି ଯିବ ପରା ରେ । ୪ ।
ବନ୍ଧୁଜୀବ ବନ୍ଧୁ ଦନ୍ତବାସ
ବନ୍ଧୁ ହେବା ବେଳେ ମନ୍ଦ ହାସ
ପୀୟୂଷର ସରସାର
ସ୍ୱାଦୁ ପାଇ ଯାଏ ଧରାରେ । ୫ ।
ଏ ଶୋଭା ଦେଖିଛି ଯେଉଁ ଆଖି
ସେହି ସେହି ସିନା ତହିଁ ସାକ୍ଷୀ
ଗିରେ କିସ କହି ଶେଷ
ହେବ ମୋ ଦୁଃଖପାଶୋରା ରେ । ୬ ।
ଅଷ୍ଟଦୁର୍ଗେନ୍ଦ୍ର ସେ କାଳେ ଭଜେ
ଶ୍ୟାମ ଗିରେ ସପ୍ରଣୟ ଲାଜେ
ବସି ମଥା ପୋତି କଥା
ନ କହିଲେ ବିମ୍ବାଧରା ରେ । ୭ ।