(ବନମାଳୀ— ରାଗ ଦେଶାକ୍ଷ, ତାଳ ତ୍ରିପଟା)
ଗାରିମା କି ପାରିବୁ ରଖି
ବାରିଜାକ୍ଷି ହରି ଠାରିଲେ ଆଖି । ଘୋଷା ।
ନାରୀ କୁଳେ ଜନମ ହୋଇ
ତା ରୀତି କେ ନ ଜାଣେ ସହି
ଘାରି ନୋହିଛି କେ ମଦନ ବାଣରେ
ପାରୀନ୍ଦ୍ରମଧ୍ୟମା ଆଜନ୍ମସୁଖୀ । ୧ ।
ଚାରିଦଶ ଭୁବନ ଯାକେ
ବାରିବାକୁ ଆଉ ଅଛି କେ
ବାରିଦବରନ ସୁନ୍ଦର ମୋହନ
ଚାରି ହଜା ଖଣ୍ଡି ଅଛି ସେ ଶିଖି । ୨ ।
ହାରି ଯାକୁ ସେ ଶମ୍ବରାରି
ସାରିଅଛି ଧୈର୍ଯ୍ୟ ଚାତୁରୀ
ଶାରୀଟି ମୁଖରୁ ଶୁଣିଛୁ ତ ଗୋରୀ
ଦାରିଦ୍ର୍ୟଭଞ୍ଜନ ଶୋଭା ଛଇକି । ୩ ।
ପ୍ୟାରୀ ଘେନ ଚିତ୍ତେ ବିଚାରି
ତ୍ୟାରି ବନମାଳୀ ସଞ୍ଚାରି
ମାରିଦେଲେ ଶ୍ୟାମ ନୟନ କଟାରୀ
ପାରିବ କେ ରହି କହ ସୁମୁଖୀ । ୪ ।