Ghenai Ambhe Jete Kahilu Re

ଘେନାଇ ଆମ୍ଭେ ଯେତେ କହିଲୁ ରେ
(Kabisurjya— Raga Kamodi, Tala Ekatali)
(କବିସୂର୍ଯ୍ୟ— ରାଗ କାମୋଦୀ, ତାଳ ଏକତାଳି)

Gha Patala — Kisorachandrananda Champu
ଘ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ଘେନାଇ ଆମ୍ଭେ ଯେତେ କହିଲୁ ରେ
ଘେନିଲୁ ନାହିଁ ବାଳା ପହିଲୁ ରେ
ଘୃତ ଘଟକୁ ଶିଖୀ ଶିଖା ପାଖରେ ରଖି
ଶିରୀଷଦେହା ଏହା ସହିଲୁରେ । ଘୋଷା ।

ଘସ୍ରନାଥ ନନ୍ଦନା ଅନାଉଣିକି ମନା
କରୁଁ ଯେ ଥାଉଁ ହଟି ଚାହିଁଲୁ ରେ
ଘଟୀସରିକି କରେ ନାହିଁ କି ବିବେକରେ
ମହାର୍ଣ୍ଣବରେ ଅବଗାହିଲୁରେ । ୧ ।

ଘୋଟି କିତବମୂଳ ଘୋରି ଘୋର ଜାଙ୍ଗଳ
ଗରଳ ତୁଲେ ତାହା ପିଇଲୁ ରେ
ଘୁମାଇବାର ସମ୍ଭବିଲା ନାହିଁ କି ଆମ୍ଭ
ସୁଯୋଗୁଁ ସିନା ବଞ୍ଚି ଅଇଲୁରେ । ୨ ।

ଘେନି ଘେନାଇ ଯାଇ କହିବ ସମଜାଇ
ଘଟିଲେ ଆମ୍ଭେ ଏକ ଜୀଇଲୁ ରେ
ଘଟନା ବିରହରେ ଅବଶ୍ୟ ତ ଜହରେ
ତୋ ଘେନି ଆତ୍ମଘାତି ହୋଇଲୁରେ । ୩ ।

ଘୋଳାରେ ପଛେ ମରୁ ଆଜୁ ତୋ ହୁକୁମରୁ
ନିକୁଞ୍ଜ ଦଉଡ଼କୁ ରହିଲୁ ରେ
ଘାଣ୍ଟି ହେଉଛୁ ମାତ୍ର ଆନୀଳ ଶତପତ୍ର
ନେତ୍ରା ଯା ଆମ୍ଭ ବଶ ନୋହିଲୁରେ । ୪ ।

ଘନେ ଚପଳା ଲୀଳା ଚାହିଁ ଘନକୁନ୍ତଳା
ତୁ କି ଏ ଅଭିଲାଷ ବହିଲୁ ରେ
ଘାରି ଦେଲୁକି ରସେ ଅଷ୍ଟଦୁର୍ଗେଶ ଭାଷେ
ଅବଶ୍ୟ ମୋହନକୁ ମୋହିଲୁରେ । ୫ ।