(ଗୋପାଳକୃଷ୍ଣ— ରାଗ ତୋଡ଼ି, ତାଳ ତ୍ରିପଟା)
ଗୋଷ୍ଠାଖଣ୍ଡଳ କୁଳ କୁମୁଦ ବନ୍ଧୁକୁ
କେ ଭୁଲାଇ ରଖିଲା ସହି ରେ
କୁଞ୍ଜରୁ ଦେହଳୀକି ହେଉ ଏଣି ତେଣିକି
ରଜନୀ ଅର୍ଦ୍ଧ ତ ଗଲାନି ବହି ରେ । ଘୋଷା ।
ଗୁମାନ କରିଥିଲି ବୋଲିକି ମୁହିଁ କାଲି
ମାନସରେ ସେ ଦୁଃଖ ଭାବି ରେ
ଅଭ୍ରଲିହ ଅନଙ୍ଗ ଅନଳ କୁଣ୍ଡରେ
ପକାଇ ଦେଲେ ବନ ମଧ୍ୟରେ କି କରିବି । ୧ ।
ମିହିର କନ୍ୟା ତୀର ବନ୍ୟା କୁସୁମ ଶର
ବିନ୍ୟାସ ମୋ ହୃଦରେ ପାଣି ରେ
କହିଲେ ଆସିବାକୁ ଏ କେଶର କୁଞ୍ଜକୁ
ରୁହାଇଲା କେ ତାଙ୍କୁ ବଣା କରି ସରଣୀ । ୨ ।
ହାସ କର୍ପୂର ଗିର ନାରିକେଳ ସଲିଳ
ଗରଳ କରାଇଲେ ପାନ ରେ
ଘାରି ହେଉଛି ତନୁ ଅଧର ସୁଧା ବିନୁ
ନାହିଁ ଉପାୟ ଆନ ରହିବାକୁ ଜୀବନ । ୩ ।
ଶକ୍ରଦିଶ ଶିଖରୀ ଶୃଙ୍ଗେ କର ପ୍ରସାରି
ଦେଲାନି ଅନା ପାପ ଶଶୀ ରେ
ଆସିବେ ସେ ଆଉ କି ବୋଲୁ ମୋହନ ଲୁକି
ଶୁଣୁଥିଲେ ବିଲୋକି ଗୋପାଳକୃଷ୍ଣ ହସି । ୪ ।