(କବିସୂର୍ଯ୍ୟ— ରାଗ ସିନ୍ଧୁକାମୋଦୀ)
ଗୁଣନିଧି ଲାବଣ୍ୟଲହରୀ ରେ
ମୋ ରାଣଟି କହ କହ
ଦିବ୍ୟ ଅବଧାନେ ଯେବେ ହେଲେ ଧାନେ
ଅଛି ମୋରେ ଅନୁଗ୍ରହ । ଘୋଷା ।
ଲୀଲା ସଉଧରେ ଆରମ୍ଭି ଥିଲୁ ତ
ବିଳାସ ମଧୁର ଗାନ
ହରିଣାଙ୍କ ବିମ୍ବ ଚାହିଁ କିପାଁ ବିମ୍ବ
-ଅଧରା ହେଲୁ ମଉନ । ୧ ।
ଶଶାଙ୍କ ନିବାସ ଛାଡ଼ି କରି ଶଶ
କଲେ ଶ୍ରୀମୁଖ ଆଶ୍ରୟ
ବିମଳ ବଦନ ହେବ ସଲାଞ୍ଛନ
ବୋଲି ଲଭିଲୁ କି ଭୟ । ୨ ।
ପଲକେ ପଲଙ୍କେ ମୁଁ ପ୍ରିୟଙ୍କ ଅଙ୍କେ
ନିଶି ନୋହିଥିଲେ ସ୍ଥିତ
ଏହି ନିଶାଚର ପିଅଇ ରୁଧିର
ବୋଲି ହେଲୁ କି ଚକିତ । ୩ ।
କରକଶତର ଅକର୍ମ ପଥର
ଦ୍ରବାଏ ମୋ କଣ୍ଠ ଧ୍ୱନି
ପୀୟୂଷ ମୃଦୁଳ ବିଧୁର କି ବଳ
ବିଚାରି ହେଲୁ କି ତୁନି । ୪ ।
ଅଷ୍ଟଦୁର୍ଗ ପତି ବୋଲେ ଗଜଗତି
ନ କରି କପଟ ଲେଶ
କରି ଚନ୍ଦ୍ରାଲୋକ ତୁ ହେବାରୁ ମୂକ
ହୁଏ ସନ୍ଦେହ ଅଶେଷ । ୫ ।