Harachandi Malasri

ହରଚଣ୍ଡୀ ମାଳଶ୍ରୀ
(DinakrusnaTripata)
(ଦୀନକୃଷ୍ଣତ୍ରିପଟା)

ମା ଗୋ ଜୟ ହରଚଣ୍ଡୀ ଆତଙ୍ଗ ନାଶିନୀ
ଜୟ ଜୟ ଆଦିମାତା
ତେଣୁ ତୋ ନାମ ଧଇଲେ ନ ଥାଏ ଚିନ୍ତା । ଘୋଷା ।

ମା ଗୋ ଦକ୍ଷିଣ ମହୋଦଧି ତଟରେ
ପୁଣି ବିଜେ କରିଅଛ ବାଲିବନ୍ତରେ
ମା ଗୋ ନାମ ବୋଲାଅ ବାଲି ହରଚଣ୍ଡୀ
ପୁଣି ତୋ ନାମ ଧଇଲେ ବିପତ୍ତି ଖଣ୍ଡି । ୧ ।

ମା ଗୋ କଣ୍ଠେ ରତ୍ନମାଳା ଦିଶଇ ଶୋଭା
ପୁଣି ମୁନିଜନେ ଦେଖି ହୁଅନ୍ତି ଲୋଭା
ମା ଗୋ ଲଲାଟେ ଶୋଭଇ ସିନ୍ଦୂର ବିନ୍ଦୁ
ପୁଣି କଳା ମେଘେ ଯେହ୍ନେ ସମ୍ପୂର୍ଣ୍ଣ ଇନ୍ଦୁ । ୨ ।

ମା ଗୋ ସିଂହ ପୃଷ୍ଠରେ ତୁ କରୁ ଗମନ
ପୁଣି ସଙ୍ଗତେ ଥାନ୍ତି ତୋର ସଖୀଗଣ
ମା ଗୋ ହସ୍ତକେ ଖଣ୍ଡା ହସ୍ତକେ ଖର୍ପର
ପୁଣି ଏହାକୁ ଘେନି ଭ୍ରମଣି ତୋହର । ୩ ।

ମା ଗୋ ନିଶି ଅର୍ଦ୍ଧରେ ବିଜେ କରିଯାଉ
ପୁଣି ଯେ ମୁଖେ ପଡ଼ଇ ନିବର୍ତ୍ତେ ଆଉ
ମା ଗୋ ଗ୍ରାମ ଗ୍ରାମକେ କରିଥାଉ ସ୍ଥାନ
ପୁଣି ପୂଜିଲା ମାତ୍ରକେ ହେଉ ପ୍ରସନ୍ନ । ୪ ।

ମା ଗୋ ଆରତ ନାଶିନୀ ନାମ ବୋଲାଇ
ପୁଣି ମୋହ ଆରତକୁ ଫେଡ଼ ତୁ ଯାଇ
ମା ଗୋ ଆରତେ ଡାକୁଛି ଶୁଣ ଗୋ ମାତ
ପୁଣି ଦୀନକୃଷ୍ଣ ଦାସ କହେ ସୁଚିତ୍ତ । ୫ ।