Hari Pasare Sajani

ହରି ପାଶରେ ସଜନୀ
(Kabisurjya— Raga Ramakeri, Tala Ekatali)
(କବିସୂର୍ଯ୍ୟ— ରାଗ ରାମକେରୀ, ତାଳ ଏକତାଳି)

Ha Patala — Premodaya Champu
ହ ପଟଳ — ପ୍ରେମୋଦୟ ଚମ୍ପୂ

ହରି ପାଶରେ ସଜନୀ ଥାଉ ଗୋ ଆଜ ରଜନୀ । ଘୋଷା ।

ହେଲାନି ସଖୀର ହାସ ବଦନ ଚନ୍ଦ୍ର ପ୍ରକାଶ
ତେଜିଲାଣି ଶ୍ୟାମ ରୋଷ ଏଠାରୁ ଗୋ ଯିବା ଆସ । ୧ ।

ହଟିଛି ମଦନ ରାଜି ବିନ୍ଧି ଶାୟକ ସମାଜ
ନାଶିବାକୁ ସଖୀ ଲାଜ କଲା କି ଗୋ ଧନୁ ସଜ । ୨ ।

ହିମ ବିନା କମ୍ପେ ତନୁ ସ୍ୱେଦ ସଖୀ ଅପଘନୁ
ବହଇ ସନ୍ତାପ କିନୁ ନ ସ୍ଫୁରେ ବାଣୀ ମଦନୁ । ୩ ।

ହେବାରୁ ସ୍ମର ଆୟତ୍ତ ହେଲେହେଁ ପ୍ରିୟ ସଙ୍ଗାତ
ଆମ୍ଭଙ୍କୁ ତେଜିବା ଚିତ୍ତ କଲାନି ଗୋ ପ୍ରାଣମିତ । ୪ ।

ହରଷରେ ରାମ ସୋମ ଧରି ନିଜ ହୃଦେ ପ୍ରେମ
ଭାବିଲାନି ଘନଶ୍ୟାମ ପଦ ଅଷ୍ଟଦୁର୍ଗ ଧାମ । ୫ ।