(ଗୋପାଳକୃଷ୍ଣ— ରାଗ ବସନ୍ତ, ତାଳ ଯତି)
ହେଟି ଗୋ ଶ୍ୟାମ ବନ୍ଧୁକୁ ଅନା କଦମ୍ବ ମୂଳକୁ । ଘୋଷା ।
ଲଳିତ ତ୍ରିଭଙ୍ଗ ଭଙ୍ଗୀ ନଟବର ବେଶ
ରଚିତ କର୍ଣ୍ଣେ ପ୍ରିୟ କନକ ମଞ୍ଜରୀ
ନବରତ୍ନ କୁଣ୍ଡଳକୁ । ୧ ।
ଉନ୍ନିଦ୍ରତର ମାଳତୀ ମାଳା ହୃଦୟରେ
କି ରୁଚିର ନବ ଶିଖୀ ଶିଖଣ୍ଡ
ଦର ଅରାଳ ଚୂଳକୁ । ୨ ।
କୁଟିଳ ଅଳକା ତଳେ ଚନ୍ଦନର ବିନ୍ଦୁ
ଚାରୁ ଭୂରୁବଲ୍ଲୀ ନାଟ ନାସାରେ
ନୂଆ ମୁକୁତା ଫଳକୁ । ୩ ।
ଦଳିତ ନବ ଅଞ୍ଜନପୁଞ୍ଜ ତନୁ ଦ୍ୟୁତି
ଜଗିଛନ୍ତି ପଥ ଥରେ ଦିଶାଅ
ମୁଖଚନ୍ଦ୍ର ମଣ୍ଡଳକୁ । ୪ ।
ମୁରଲୀ ମଧୁର ନାଦେ ସୁରଭୀ କୁଳକୁ
ଡାକି ଡାକି ଢାଳୁଛନ୍ତି ତୋ ଆଡ଼େ
କେତେ ନୟନାଞ୍ଚଳକୁ । ୫ ।
ଚାହୁଁ ସଖୀ ଆପଟରେ ରହି ଶ୍ରୀ ରାଧିକା
ଗୋପାଳକୃଷ୍ଣ ବୋଲଇ ଝଡ଼ିଲା କରୁ
ମୁରଲୀ ତଳକୁ । ୬ ।