(ଦୀନକୃଷ୍ଣ— ରାଗ କୃଷ୍ଣକେଦାର, ତାଳ ଆଡ଼ତାଳି)
ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ
ଚଉଦ ଭୁବନ ବାରତା ଜାଣନ୍ତି
ଚକ୍ରରେ ଛେଦନ୍ତି ଆରତ । ଘୋଷା ।
ଯେତେବେଳେ କୃଷ୍ଣ ଗୋପପୁରେ ଥିଲେ
ଅକ୍ରୂର ଆଣିଣ ଗଲା ତ
ଗାଇ ଦୁହୁଁ ଦୁହୁଁ କେଶ ଫିଟିଗଲା
ଚତୁର୍ଭୁଜ ହେଲେ ଅନନ୍ତ । ୧ ।
ସୁଗ୍ରୀବର ସଙ୍ଗେ ମଇତ୍ର ହୋଇଣ
ବାଳୀକି ବିନାଶ କଲେ ତ
ରାବଣ ଭ୍ରାତା ଯେ ଶରଣ ପଶିଲା
ଲଙ୍କାଗଡ଼ ତାକୁ ଦେଲେ ତ । ୨ ।
କୁରୁସଭା ତଳେ ଦ୍ରୌପଦୀ ଚିନ୍ତିଲା
କୋଟି ବସ୍ତ୍ର ଦିଆଇଲେ ତ
ଭାରତ ଯୁଦ୍ଧରେ ଭରତିଆ ପକ୍ଷୀ
ଘଣ୍ଟ ଘୋଡ଼ାଇ ରଖିଲେ ତ । ୩ ।
ଏମନ୍ତ ସାମନ୍ତ ତ୍ରିଭୁବନେ ନାହିଁ
ନାଶନେ ଆରତୀ ଆରତ
କହେ ଦୀନକୃଷ୍ଣ ଦାସ ଯେ ଶ୍ରୀକୃଷ୍ଣ
ପଦ୍ମ ପାଦ ଚିତ୍ତେ ଧ୍ୟାୟି ତ । ୪ ।