(କବିସୂର୍ଯ୍ୟ— ଖେମଟା)
ଜଗତ କରତା ନାଥ ମିଛେ ହରି ବୋଲାଉଛ
ଅନ୍ତରେ କପଟ ବହି କ୍ଷିତିରେ ଦାତା ହୋଇଛ । ଘୋଷା ।
ଦେଲ ଯାହା ନେଲ ତାହା ନ ଜାଣ କି ଚଉବାହା
ଏଥକୁ ଭାର୍ଗବୀନାହା ପତାକା ଯା ଉଡ଼ାଇଛ । ୧ ।
ବଳୀ ରାଜା ଦାନ କାଳେ ତାକୁ ଚାପିଲ ପାତାଳେ
ଗୋପେ ସୁଦାମାକୁ ବଳେ ଅଇଶ୍ୱର୍ଯ୍ୟ ଦିଆଇଛ । ୨ ।
ଗୋପୀଙ୍କ ବସ୍ତ୍ର ଗୋକୁଳେ ଚୋରି କଲ ଅବହେଳେ
ଦ୍ରୌପଦୀ ଆତଙ୍କ କାଳେ କୋଟି ବସ୍ତ୍ର ଦିଆଇଛ । ୩ ।
ଶୁକ୍ର ମନ୍ତ୍ରୀ ନେତ୍ରେ କୁଶ ମାରି ଲଭିବାର ଯଶ
ଧୂଳି ଖେଳେ ପୀତବାସ ଅନ୍ଧେ ଲୋଚନ ଦେଇଛ । ୪ ।
କଂସର ଯେ କୁବଳୟା ତା ଠାରେ କରିଣ ମାୟା
ଗଜକୁ କରିଣ ଦୟା ଚକ୍ରେ କୁମ୍ଭୀର ହାଣିଛ । ୫ ।
ହୃଦୟ ବଡ଼ କଠିନ କମଠ ପୃଷ୍ଠରୁ ଟାଣ
ବଳଦେବକୁ କଷଣ ଭୁଜ ତଳେ ରୁହାଇଛ । ୬ ।