(ବନମାଳୀ— ରାଗ ଲଳିତ କେଦାର, ତାଳ ଝୁଲା)
ଯମୁନା ଯିବା ନୋହିଲା ମିତ
ବାଟେ ଜଗି ବସିଅଛି ନନ୍ଦସୁତ ସେହି କଳା ଭୂତ । ଘୋଷା ।
ସେ ପୀତପଟିଆ ପଥେ କରି ଠିଆ
ବୋଲୁଥାନ୍ତି ବାଣୀ ଆଚମ୍ବିତ
କରି ବଂଶୀ ସ୍ୱନ ମୋହି ଆମ୍ଭ ମନ
ଚିତ୍ତକୁ କରନ୍ତି ବିହ୍ୱଳିତ । ୧ ।
କି ମନ୍ତ୍ର ପଢ଼ାଇ ନିଅନ୍ତି କଢ଼ାଇ
ନ ରହଇ ଆମ୍ଭର ଆୟତ୍ତ
ଯମୁନା କୂଳରେ କୌତୁକ ମୂଳରେ
ବସାଇ ନିଅନ୍ତି ହୁରୁମତ । ୨ ।
ଜଳରେ ପୂରାଇ କୌତୁକ ଭିଆଇ
ବସ୍ତ୍ର ହରି କଲେ ହରକତ
ବୋଲନ୍ତି ଜଳରେ ଉଲଗ୍ନ ହୋଇଲ
କର ଯୋଡ଼ି କର ଦଣ୍ଡବତ । ୩ ।
କେ ବୋଲେ ଗୋ ସହି ଜଳ ନେବା ପାଇଁ
ଯମୁନା ଘାଟ ହେଲା ଦୁର୍ଘଟ
ହୋଇଲେ ବାହାର ଚିତ୍ତ ଥରହର
ଥିବେ ଚିତ୍ତଚୋରା ଡକାୟତ । ୪ ।
ଜଳରୁ ବାହାରି ଯେଝା ବସ୍ତ୍ର ଧରି
ପିନ୍ଧି ଫେରି ଅଇଲେ ତୁରିତ
ବୋଲେ ବନମାଳୀ ଆଗୋ ବ୍ରଜବାଳୀ
କୃଷ୍ଣ ଚରଣେ ରଖିଥା ଚିତ୍ତ । ୫ ।