(କବିସୂର୍ଯ୍ୟ— ରାଗ ମୁଖାରୀ, ତାଳ ଏକତାଳି)
ଜଣାଥିଲା କି ମୋତେ ଏ ରୀତି ଗୋ
ଛଣାସୁଧା ସରପଣାରୁ ମଧୁର
ଲାଗୁଥିଲା ଶ୍ୟାମପ୍ରୀତି ଗୋ । ଘୋଷା ।
ଲୁଣି ମଣିଲିଣି ମଧୁଝରକୁ
ଶୁଣି ତା ବିଷମ ବଂଶୀସ୍ୱରକୁ
କି ବାଇ ହୋଇଲି ନିଭାଇବି ବୋଲି
ସ୍ମର ଧନଞ୍ଜୟ ହେତି ଗୋ । ୧ ।
ମହୀତଳେ ଯେତେ ଧୂର୍ତ୍ତ ପୁରୁଷେ
ସହି ସବୁରି ପରମଗୁରୁ ସେ
ଦୂରୁ ସେ ସ୍ନେହକୁ ଜୁହାରି ମୁଁ ହାରି
ରହିଅଛି ଲଭି ଭୀତି ଗୋ । ୨ ।
ତାରତମ୍ୟ ସେ ନ ଜାଣେ ନିପଟ
ତାର ତନୁ ଗୋଟାଯାକ କପଟ
କଳାବତୀ କୁଳ ମାରଣେ କେବଳ
କରିଅଛି ପରିଚିତି ଗୋ । ୩ ।
ଆସିବି ମୁଁ ବୋଲି ଦେଇ ଭାଷାକୁ
ବାସି କଲା ଯେ ମୋ ଫୁଲ ଭୂଷାକୁ
ତୁ ହେଲେ ପହିଲୁ ଥରେ ନ କହିଲୁ
ସେ କିତବର ଅନୀତି ଗୋ । ୪ ।
ନିଚୋଳରେ ହେଲାନି ମୋ ଅରୁଚି
ପୀତପଟ ସେ କାହିଁକି ଧରୁଛି
ତାହାରି ସଦୃଶ ପିନ୍ଧିଥାଉ ବାସ
ଯା ତୁଲେ ମାତୁଛି ନୀତି ଗୋ । ୫ ।
ଶୁଣି ଏପରି ସରୋଷ ଗିରକୁ
ନିଜ ନୟନେ ଥକାଇ ନୀରକୁ
ଆଳି ପ୍ରବୋଧିଲେ କିଶୋରୀକି ବୋଲେ
ଅଷ୍ଟଦୁର୍ଗ ଧରାପତି ଗୋ । ୬ ।