(ଉପେନ୍ଦ୍ର ଭଞ୍ଜ— ରାଗ ବଙ୍ଗଳାଶ୍ରୀ, ତାଳ ତ୍ରିପଟା)
ଜାଣେ ଯେତେ ଭାବେ ପ୍ରୀତି ଯୁବତୀ
ଜଗତେ ଆଉ କାହିଁ ଅଛି
ଜୀବ ଥିବା ଯାଏ ପିଣ୍ଡେ ନାଗରୀକି ଦଣ୍ଡେ
ନୋହିବ ମୂରୁଛି । ଘୋଷା ।
ଯେବେ ମାଗଇ ମୁଁ ପ୍ରେମସୁଧା ଦିଅ
ହସି ଭାଷଇ ମୃଗାକ୍ଷୀ
ଜାଣଇ କେ ତାହା କରି ସିନା ବୋଲି
ସଜନୀମାନଙ୍କୁ ପୁଚ୍ଛି । ୧ ।
ଜାନୁ ଉପରେ ବସାଇଲେ ଗୋରୀକି
ତଳେ ବସୁଥାଏ ଖସି
ଜଳଜପାଦକୁ କର ବଢ଼ାଇଲେ
ବେଗେ ଯାଏ ଅଙ୍ଗେ ମିଶି । ୨ ।
ଜାଣିବାରେ ମୋର ମୋ ଆଡ଼କୁ ପଛ
କରି ଦିନେ ଶୋଇ ନାହିଁ
ଜୀବଧନର ଏ ଗୁଣ ସୁମରି ପୁଣ
ଜୀବନେ ଅଛି ରହି । ୩ ।
ଜବାଧର ତାର ମଧୁ ପିଉଥିଲେ
ଅମୃତ ପାନ ହିଁ ଛାର
ଜପି କାମ କ୍ଷୀଣ ପ୍ରିୟଭାବ
କହେ ଉପଇନ୍ଦ୍ର ରସସାର । ୪ ।