(କବିସୂର୍ଯ୍ୟ— ରାଗ କୋଳାହଳ, ତାଳ ଆଠତାଳି)
ଜାଣିନାହିଁ କି ମୁଁ ଶ୍ୟାମ ସ୍ନେହ ଗୋ । ଘୋଷା ।
ଆଉ କି ଜଣାଥିଲେ କହ ଶୁଣିବି ଭଲେ
ତା ଚରିତ ମୋ ଆଗେ ନ କହ ଗୋ । ୧ ।
ଏଥର ମିଶି ସହୀ ନ ଥର ସହି ସହି
ପଥର କରିଛି ମୁଁ ଏ ଦେହ ଗୋ । ୨ ।
ମୃଦୁ ଗିରେ ମଣାଇଁ ବଳିଆଇ ଜଣାଇଁ
କ୍ରୋଧାନଳେ ମୋ ହୃଦ ନ ଦହ ଗୋ । ୩ ।
ରଚୁଥିଲେ ତା ପ୍ରୀତି ସେ ସୁଖ ସେ ବିପତ୍ତି
ତୁହି ଭୋଗ କର ତୁହି ସହ ଗୋ । ୪ ।
କେତେ ଯତନ କରି କଦନ ନଦୀ ତରି
ଅଛି ମୁଁ ବରଜି ମହାମୋହ ଗୋ । ୫ ।
ଅଛି କି ତାହା ଦତ୍ତ ନଖକ୍ଷତ ରହିତ
ଏ ନଗରେ ନାଗରୀ ନିବହ ଗୋ । ୬ ।
କଳା କିଶୋର ପ୍ରେମ ହିମାନିଠାରୁ ହିମ
ପ୍ରଳୟାନଳରୁ ଡହଡହ ଗୋ । ୭ ।
ଅଷ୍ଟଦୁର୍ଗେଶ ଭାଷେ ଶୁଣି ଲଳିତା ହସେ
କହିଲେ ମୋ ସଖୀ ଦୁଃଖୀ ନୁହ ଗୋ । ୮ ।