(ବନମାଳୀ— ରାଗ ବଙ୍ଗଳାଶ୍ରୀ, ତାଳ ଝୁଲା)
ଯତନେ ଶ୍ରୀ ଜଗବନ୍ଧୁ ନାମ
ଭଜରେ ପାଗଳ ମନ
ଯମଦଣ୍ଡରୁ ତୁ ମୁକୁଳି ଯିବୁଟି
ଅନ୍ତ କାଳେ ନୋହି ଛନ୍ନ । ଘୋଷା ।
ଯାବତ ଜୀବନ ପିଣ୍ଡେ ଥିବା ଯାକ
କରୁଥା ହରି କୀର୍ତ୍ତନ
ଯଦୁକୁଳ ଚନ୍ଦ୍ର ସାହା ହୋଇଥିବେ
ନ ହୋଇବୁ କଦର୍ଥନ । ୧ ।
ଯଶୋଦା ନନ୍ଦନ ଦେବାଦି ବନ୍ଦନ
ଦୟାଳୁ ଜଗନ୍ମୋହନ
ଯାମଳାଭଞ୍ଜନ ଭକତରଞ୍ଜନ
କରିବେ ଦୁଃଖ ମୋଚନ । ୨ ।
ଯେତେ ଯା ଅର୍ଜିଛୁ ଆଜନ୍ମ ପାତକ
ଜାଣି ନ ଜାଣି ରେ ମନ
ଭଜୁଥିଲେ ହରି ତୁଳା ଗରିପରି
ସକଳ ହେବ ଦହନ । ୩ ।
ଯୋଗାରୂଢ଼ ହରି ଯାହାଙ୍କ କିଙ୍କର
ସେ ପ୍ରଭୁ ଥିଲେ ପ୍ରସନ୍ନ
କି ଛାର କଷଣ ବାଧିବଟି ଆଉ
କହେ ବନମାଳୀ ଦୀନ । ୪ ।