(କବିସୂର୍ଯ୍ୟ— ରାଗ ଶ୍ରୀ, ତାଳ ଝୁଲା)
ଯାଉଛି ମା ଆଉ ନ ପାରେ ତାକୁ ଟାକି । ଘୋଷା ।
ସଂବେଶ ବେଶ ଭୋଜନେ ଲୋଡ଼ି ମୋତେ ଗୁରୁଜନେ
ଚଳିହେଉଥିବେ ପରା ଡାକି । ୧ ।
ନିତି ଧରି ଦୂତୀ କର ଯତନେ ଅରଜିବାର
ଚୋର ପୀରତିରେ ଏ କି ଚାକି । ୨ ।
ହଜାର ହଜାର ଯାର ପ୍ରଣୟବତୀ ବଜାର
ତହୁଁ କେହି ରଖିଥିବ ଜାକି । ୩ ।
ବ୍ରଜୁଁ ହୁଅନ୍ତେ ବାହାର ତା ପଦପଙ୍କଜେ କାର
କୁଚାଚଳେ ରହିଥିବ ଠାକି । ୪ ।
ତୁଚ୍ଛାକୁ ତ ଶ୍ୟାମ ପ୍ରୀତି ଲମ୍ପଟା ବୋଲି ମୋ ଖ୍ୟାତି
ନ ରହିବ ପୁଣି ସିନା ବାକି । ୫ ।
ଅବଶ୍ୟ ତୋ ଜୀବ ଯିବ ନେଲେ ନେବ ମନୋଭବ
ରଖିଲେ ରଖିବେ ଶ୍ରୀ ପିନାକୀ । ୬ ।
ଜଗଦ୍ଦେବ ଭାଷା ଶୁଣି ଆଳି କହିଲେ ମୁଁ ଆଣି
ଏବେ ଭେଟାଇଲେ କି ହେଲା କି । ୭ ।