(ଭକ୍ତଚରଣ— ରାଗ ଚକ୍ରକେଳି, ତାଳ ଆଡ଼ତାଳି)
ଜୟ ଗୋବିନ୍ଦ ଗୋକୁଳ ସୁନ୍ଦର । ଜୟ ରାମ ଅନୁଜ ଦାମୋଦର ।
ଜୟ କଂସାରି ଜଗତତାରଣ । ଜୟ ମାଧବ ନନ୍ଦକଧାରଣ ।
ଜୟ ରମାରମଣ ଦଇତାରି । ଜୟ ଅନନ୍ତ ଅଖିଳ ବିହାରୀ ।
ଜୟ ଗରୁଡ଼ାସନ ପୀତବାସ । ଜୟ ବକାରି ନରକବିନାଶ ।
ଜୟ ଭଗତବତ୍ସଳ ମୁରାରି । ଜୟ କାରଣ ସଲିଳ ବିହାରୀ ।
ଜୟ ଜଗତଜୀବନ ମୋହନ । ଜୟ ନୃସିଂହ ହିରଣ୍ୟଧ୍ୱଂସନ ।
ଜୟ ଯାଦବ ବରଜ ଚନ୍ଦ୍ରମା । ଜୟ ସର୍ବ କାରଣ ବିଶ୍ୱକର୍ମା ।
ତୋର ଆଜ୍ଞା ଶିରେ ଧରି ବିରଞ୍ଚି । ଚତୁର୍ଦ୍ଦଶ ଭୁବନ ଅଛି ରଞ୍ଚି ।
ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ଆଦି ଦେବତା । ତୋର ସର୍ଜିଲାରୁ ଏହି ବକତା ।
ତୋହ ନ କଲା ଆଉ ନାହିଁ କେହି । ତୁ ସେ ସର୍ବକରତା ଭାବଗ୍ରାହୀ ।
ନାନାରୂପ ଅରୂପ ତୁହି ହେଉ । ପ୍ରାଣୀମାନଙ୍କୁ ହିତେ ଦୟାବହୁ ।
ଗୋରୁ ବ୍ରାହ୍ମଣ ରକ୍ଷଣେ ତୋ ଜାତ ।କେହି ନଜାଣେ ଆଦ୍ୟ ମଧ୍ୟ ଅନ୍ତି ।
ସର୍ବ ଆତ୍ମାରେ ତୁହି ଆତ୍ମାରାମ । ତୋର ବିହୀନେ ନାହିଁ କର୍ମାକର୍ମ ।
ତୁ ସେ ଆଦି ଅନାଦି ନିରାକାର । ଶ୍ରୁତି ସ୍ମୁରୁତିକି ନାହିଁ ଗୋଚର ।
ତୋର ଆଜ୍ଞା ଶିରେ ଧରି ବିରଞ୍ଚି । ଚତୁର୍ଦ୍ଦଶଭୁବନ ଅଛି ରଚି ।
ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ଆଦି ଦେବତା । ତୋର ସର୍ଜିଲାରୁ ଏହୁ ବକତା ।
ତୋଅର ନ କଲା ଆଊ ନାହିଁ କେହି । ତୁ ସେ ସର୍ବ କରତା ଭାବଗ୍ରାହୀ ।
ଏଣୁ ମନରେ କରଇଁ ବିଚାର । ତୋହ ବିନା କେ ଗତି ନାହିଁ ଆର ।
ଯେବେ ସୁଦୟା କରିବ ମୋହରେ । ମନ ରଖାଇ ପଙ୍କଜପୟରେ ।
ଆଉ ସମ୍ପଦେ ନାହିଁ ପ୍ରୟୋଜନ । ଭକ୍ତିବିନେ ଦରିଦ୍ର ମୋ ଜୀବନ ।
ସୁଜ୍ଞଜନଙ୍କ ମୁଖରୁ ଶୁଣିଲି । କୃଷ୍ଣ ଭଜିଲେ ତରନ୍ତି ଜାଣିଲି ।
ଜ୍ଞାନ ସ୍ମରଣ ପଠନ ଶ୍ରବଣେ । ପୂର୍ବେ ତରିଅଛନ୍ତି ମୁନିଗଣେ ।
ସେହୁ ହୋଇଛି ପୂରାଣେ ଲିଖନ । ମିଥ୍ୟା ନୁହଇ ପ୍ରମାଣ ବଚନ ।
ନିଶ ଦିବସେ ଯେ ହରି ଭଜନ୍ତି । ଭବକଳୁଷ ସନ୍ତାପ ତ୍ୟଜନ୍ତି ।
ଏଣୁ ବିଚାର କରଇ ମନରେ । କିପାଁ ମରୁଛି ଏ ଭବଜଳରେ ।
ଧନ ଜନ ଜୀବନ ଚିର ନୋହେ । ପାପ-ଅନଳ ପିଣ୍ଡ-କାଷ୍ଠ ଦହେ ।
ଏତ ସକଳ ଦ୍ରବ୍ୟ ପ୍ରବର୍ତ୍ତାଇ । କାମ କାମିନୀମଦରେ ମତ୍ତାଇ ।
ମୋହ ମୋହିତ କଲା ଦିବା ନିଶି । ମର୍ମେ ଘୋଟି ରହିଲା ପାପରାଶି ।
ଚଳି ନୁହଇ ଯାତନାରେ ପଡ଼ି । ଦିନୁ ଦିନୁ ଆୟୁଷ ଗଲା ଝଡ଼ି ।
ଏଣୁ ବିଚାର କରି ମୋର ଚିତ୍ତେ । ବୁଦ୍ଧି ନ ଦିଶେ ତରିବି କେମନ୍ତେ ।
କୃଷ୍ଣଚରିତ ଅମୃତବାରିଧି । କଳି କଳୁଷ ରୋଗକୁ ଔଷଧି ।
ତହିଁ କିଛି ପ୍ରସଙ୍ଗେ ମୁଁ କହିବି । ଦୁଷ୍ଟ ପାତକଭାବକୁ ଦହିବି ।
ଗୀତ କରି ରଚିବି ହରିଲୀଳା । ଦୟା କର ହେ ସ୍ବାମି ନନ୍ଦବଳା ।
ଯେଉଁ ରୂପେ କଂସ କେଶୀ ବଧିଲ । ଏଥିପରେ ନାନା ଦୁଷ୍ଟ ସାଧିଲ ।
ତାହା କହିବାକୁ ମୋର ବିଚାର । ରାଗ ବନ୍ଧରେ କରିବି ପ୍ରଚାର ।
ମୋର ହୃଦରେ ବସି ଦିଅ କହି । ଭକ୍ତିଚରଣ ଏତେକ ମାଗଇ ।
ଏଥୁ ଅନ୍ତରେ ଶୁଣ ହେ ସୁଜନ । ଶୁକ କହନ୍ତି ରାଜନ ଆଗେଣ ।
ପରୀକ୍ଷିତ ଶୁଣି ହୋଏ ଉସତ । କୃଷ୍ଣଚରିତ ନାମ ଭାଗବତ ।
ଦଶମସ୍କନ୍ଧ ଚରିତ ବର୍ଣ୍ଣନ । ଯେଉଁ ମତେ କଂସ ଜନ୍ମ ମରଣ ।
ମହାପ୍ରତାପୀ ଦୁର୍ମିଲାନନ୍ଦନ । ଇନ୍ଦୁମତୀ ଗର୍ଭେ ହେଲା ଜନମ ।
ଗୋରୁ ବ୍ରାହ୍ମଣଙ୍କୁ ଦେଲା କଷଣ । ଡ଼ରେ ଦେବତା ପଶିଲେ ଶରଣ ।
ଧର୍ମ ନାଶି ଅଧର୍ମକର୍ମ କଲା । ଦିନୁ ଦିନୁ ଜୀବଙ୍କୁ ଦୁଃଖ ଦେଲା ।
ଦେଖି ସହି ନ ପାରିଲେ ଅମର । ସର୍ବେ ମେଳି ହୋଇ କଲେ ବିଚାର ।
କିସ କରିବା ବୋଲେ ସୁନାସୀର । ବେଳୁଁବେଳ ଦୁଷ୍ଟ ହେଲା ଅସୁର ।
କାହା ଆଗେ କହିବି ବୋଲେ ମହି । ଇନ୍ଦ୍ରବଚନେ ପିତାମହ କହି ।
କ୍ଷୀରସାଗରେ ହୋଇଛନ୍ତି ହରି । ଚାଲ ଅମରେ କରିବା ଗୁହାରି ।
ଆମ୍ଭ ଅର୍ଥେ ହୋଇବେ ଅବତାର । ତେବେ ଦୁଷ୍ଟ ରାକ୍ଷସ ଯିବ ମାର ।
ଏଥି ବାହାରେ ଅନ୍ୟ ଗତି ନାହିଁ । ବେଦବର ଉଠିଲେ ଏତେକହି ।
ସର୍ବ ଦେବତା ସଙ୍ଗରେ ଘେନାଇ । କ୍ଷୀରସାଗର ତଟେ ହେଲେ ଯାଇ ।
ଅତି ଆରତେ ଡ଼ାକନ୍ତି ଅମର । ଦେବ ରକ୍ଷା କର ମହୀ ତୋହର ।
ଯେବେ ନରଖିବ ନାଶ ଗଳୁଁଟି । ଦୈତ୍ୟ ସ୍ବର୍ଗଭୁବନ କଲା ଲୁଟି ।
ଗୋରୁ ବ୍ରାହ୍ମଣ ସୁଜନ ନାଶିଲା । ମହା ଅଧର୍ମେ ମହୀକି ଗ୍ରାସିଲା ।
ସୁରଗଣ ବିକଳ କର୍ଣ୍ଣେ ଶୁଣି । ଦୟାସାଗର ପ୍ରଭୁ ଚକ୍ରପାଣି ।
ଆଜ୍ଞା କଲେ ସକଳ ସୁରେ ଯାଅ । ଦୈତ୍ୟ ମାରିବି ଅଳ୍ପଦିନ ରହ ।
ବସୁଦେବ ଘରେ ହେବି ଜନମ । ବଢ଼ି କଂସକୁ ନାଶିବି ବହନ ।
ଶୁଣି ଦେବେ ବାହୁଡ଼ିଲେ ସାନନ୍ଦେ । କିଛିଦିନାନ୍ତେ ପ୍ରଭୁ ଆଦିକନ୍ଦେ ।
ଦେବକୀର ଉଦରେ କଲେ ବାସ ।ଜନ୍ମ ଲଭିଲେ ରହି ଦଶମାସ୍ ।
ବସୁଦେବ ଗୋପେଛାଡ଼ି ଅଇଲା ।ତହିଁ ଯେତେ ଯେତେ ଲୀଳା ହେଇଲା ।
ଦିନୁ ଦିନୁ ବଢ଼ିଲେ ନନ୍ଦଘରେ ।ଚନ୍ଦ୍ର ଯେସନେ ଶୁକଳପକ୍ଷରେ ।
ସାତଦିନରେ ମାଇଲେ ପୂତନା । ଯାର ନାମ ଅଟଇ ବଜ୍ରସେହ୍ନା ।
ତୃଣ ଶକଟ ବକ ଅଘାସୁର । ମାରି ତାରିଲେ କୁବେରକୁମର ।
କାଳୀ କାଳନ୍ଦୀହ୍ରଦରେ ଦଳିଲେ । ବନଅନଳ କିଞ୍ଚିତେ ଗିଳିଲେ ।
ବତ୍ସା ବାଳକ ହରିଲେ ବିଧାତା । ନିଜ ଅଙ୍ଗୁର ସର୍ବ କଲେ ଜାତ ।
ନନ୍ଦରାଜାକୁ ହରିଲା ବରୁଣ । ତାକୁ ଆଣିଦେଲେ ରମାରମଣ ।
ଇନ୍ଦ୍ର ବିବାଦେ ତୋଳି ଗୋବର୍ଦ୍ଧନ । ଗୋପ ରଖିଲେ ଜଗତଜୀବନ ।
ବୃନ୍ଦାବନରେ କରନ୍ତି ନିବାସ । ସଙ୍ଗେ ଘେନି ଅନେକ ଗୋପଶିଷ ।
ବସ୍ତ୍ରଚୋରି ଆଦି ଯେତେ ଚରିତ । କେହୁ କହିବ କରି ଆଦି ଅନ୍ତ ।
ରାସେ ରସିଲେ ଗୋପୀଙ୍କ ସଙ୍ଗତେ ।ଏହିମତି ବିହାରି ଯେତେ ଯେତେ ।
କେଶୀପିଣ୍ଡମନ୍ଥିଲେ ବାହୁବଳେ । ପ୍ରାଣେ ମାଇଲେ ଯେତେଦୈତ୍ୟଗଲେ ।
ତାହା ଶୁଣି ଡ଼ରିଲା କଂସାସୁର । ଭୟେ କମ୍ପି ହୋଇଲା ଥରହର ।
ମନ୍ତ୍ରୀ ଅକ୍ରୁରକୁ ଘେନି ଭାଳଇ । କ୍ରୋଧ ନୟନୁ ଲୋତିକ ଗଳଇ ।
କହେ କାତରେ ହୋଇ ଛନ୍ନ ଛନ୍ନ । ମିତ୍ର ଶୁଣିମା ମୋହର ବଚନ ।
ମୁନିବର ନାରଦ ଗଲେ କହି । ତେଣୁକରି ଅସ୍ଥିର ମୋର ଦେହି ।
ନନ୍ଦନନ୍ଦନ ମୋହର ବଇରି । ତାଙ୍କୁ କେମନ୍ତେ ପକାଇବି ମାରି ।
ଯେତେ ଗଲେ ସଂହରିବା ନିମିତ୍ତେ । ତାଙ୍କୁ ମାରିଲା ଗୋବିନ୍ଦ କଞ୍ଚିତେ ।
କେତେ ଉପାୟ କଲି ତାଙ୍କ ପାଇଁ । ତହିଁ କିଛି ନୋହିଲେ ବେନି ଭାଇ ।
ବିଷ ସ୍ତନେ ଭରି ଗଲା ପୂତନା । ଜାଣି ତାକୁ ମାଇଲା ନନ୍ଦକାହ୍ନା ।
ପୁଣି ତୃଣ ଶକଟ ବେନି ଗଲେ । ସେହି ନାଶିଲେ ବାହୁଡ଼ି ନଇଲେ ।
ବକ ଅଘ ବ୍ୟୋମା ବତ୍ସା ସୁରକୁ । କେଶୀ କଦମ୍ବା ଧେନୁକ ବିରକୁ ।
ମାରି ନିଶ୍ଚିନ୍ତେ ଛନ୍ତି ବେନିଭାଇ । କିସ କରିବି ଶୁଣି ମନ୍ତ୍ରି ସାଇଁ ।
ମୋର ବିଶ୍ବାସୀ ତୁ ଯେଣି କହୁଛି । ଆଣି ଦେବୁ ନନ୍ଦର ବେନିବତ୍ସି ।
କାଲି ପ୍ରଭାତେ କରିବୁ ଗମନ । ରାମ କୃଷ୍ଣ ଆଦି ନନ୍ଦରାଜନ ।
ବରସକ କର ତାର ବସାଣ । ଏହା ଘେନାଇ ଆପଣା ସଙ୍ଗେଣ ।
ମୋହ ଛାମୁରେ କରାଇବ ଭେଟ । ବଳେ ଧରି ମାରିବି ନନ୍ଦଚାଟ ।
ତେବେ ସୁଖେ ଭୁଞ୍ଜିଜିବି ନାନା ଭୋଗ ।ଯେତେକାଳ ପର୍ଯ୍ୟନ୍ତେ ଥିବଯୋଗ ।
ବ୍ୟାଧି ଅଳପ ହୋଇ ସଞ୍ଚରଇ । ହେଳା ମାତ୍ରକେ ପରାଣେ ମାରଇ ।
ଶୂନ୍ୟ ମଣ୍ଡଳେ ମେଘ ପ୍ରକାଶଇ । ଛିଦ୍ର ହୋଇ ବହୁତ ବରଷଇ ।
ଭସ୍ମ କୋଷରେ ଅଗ୍ନି କଣା ଥାଇ । ମନ୍ଦ ପବନେ ବଳିଷ୍ଠ ହୁଅଇ ।
ହେଳେ ସଂସାର କରଇ ଦହିଜ । ସେହି ପ୍ରକାରେ ନନ୍ଦର ତନୁଜ ।
ତାଙ୍କୁ ବେଳହୁଁ ଉପାୟେ ମାରିବା । ନ ମାରିଲେ ଆପେ କାଳେ ମରିବା ।
ତେଣୁକରି କହିଲେ ମନ୍ତ୍ରିବର । ମୋର ଅର୍ଥେ ଉପାୟ ତୁମ୍ଭେ କର ।
ଏତେ ବୋଲି ବେନି କର ଧଇଲା । ଶୋକେ ଆଲିଙ୍ଗନ କରି କହିଲା ।
କରେ ବହୁତ ପ୍ରକାରେ ବିନତି । କହୁଁ କହୁଁ ପ୍ରବେଶ ହେଲା ରାତି ।
ନିଜେ କରେ ଲେଖନ ପତ୍ର ଧରି । ଆଜ୍ଞାପତ୍ରିକା ଲେଖି ଦଣ୍ଡଧାରି ।
ମୁଦି ଅକ୍ରୁର କରେ ସମର୍ପିଲା । ଯାଆ ବୋଲି ହରଷେ ଆଜ୍ଞା ଦେଲା ।
ମନ୍ତ୍ରୀ ଗଳାରେ ଲମ୍ବାଇଲା ହାର । ଚିତ୍ତଆନନ୍ଦେ ହୋଇଲା ବାହାର ।
କଂସରାଜ ହିଁ ନିଶ୍ଚିନ୍ତେ ରହିଲା । କାଳ ଚକ୍ରେ ପଶି ମୋହ ହୋଇଲା ।
ସ୍ନାନ ମାର୍ଜନ ଭୋଜନ ଶୟନ । କିଛି ନ ରୁଚଇ ବିଷ ସମାନ ।
ଯେଉଁ ଦିଗକୁ ଦିଅଇ ଅନାଇ । ସେହି ଦିଗେ ବିଜେ ନନ୍ଦ କହ୍ନାଇ ।
ଶୋଇ ସ୍ବପନେ ଚମକି ପଡ଼ଇ । କହି ବଚନ କ୍ଷଣକେ ହୁଡ଼ଇ ।
ଝାଇଁ ମାରଇ ନିଶ୍ବାସ ପବନ । କଲେ ଦକ୍ଷିଣ ଦିଗକୁ ଗମନ ।
କଣ୍ଠେ ମନ୍ଦାର ମାଳ ବିଭୁଷଣ । କରି ମହିଷଯାନ ଆରେହଣ ।
ଚରମରେ ପଡ଼ିଅଛି କବରୀ । ଫିଟି ପବନେ ଉଡ଼େ କେରି କେରି ।
ଚାରିଦିଗେ ଶୃଗାଳ ପେଚା ଶ୍ବାନ । ଗୃଧ୍ର ଅହୀ ମାର୍ଜାରଙ୍କ ନିସ୍ବନ ।
ପ୍ରାଣ ନ ରହଇ ଯେଉଁ ସ୍ବପନେ । କଂସ ଦେଖିଲା ତା ବେନି ନୟନେ ।
ଚେତି ଉଠି ମନରେ ବିଚାରଇ । ସ୍ବପ୍ନ ସତ ନୋହେ ବେଦ ଭାଷଇ ।
ମନେ ଏମନ୍ତ ବିଚାରି ଶୋଇଲା । ନିଶି ପାହିଣ ପ୍ରଭାତ ହୋଇଲା ।
ଜାଣି ଅକ୍ରୁର ଉଠିଲା ଆସନୁ । ପୂର୍ବଦିଗେ ଦେଖିଲା ଉଦେଭାନୁ ।
ନିତ୍ୟକର୍ମ ସାରି ହେଲା ବାହାର । ଭକ୍ତ ଦାସ ସାଜେ ରଥ ତାହାର ।