(କବିସୂର୍ଯ୍ୟ— ରାଗ କେଦାର କାମୋଦୀ, ତାଳ ତ୍ରିପଟା)
ଯେବେ ନବଘନ ଶ୍ୟାମ ବଂଶୀସ୍ୱନ
ନିଶୀଥରେ ଥରେ ଶୁଣାଯିବ
ସଖୀ ସୁଖେ ବନେ ମୋଦମୟ ମନେ
ବିହରିବୁ ତୋର ଉଣା ଯିବ । ଘୋଷା ।
ପ୍ରସରିବ ମତ୍ତ ମିଳିନ୍ଦ ସଙ୍ଗୀତ
କଳପିକ ରୁତ ମଳୟ ମରୁତ
ଚରାଚର ଲୋକ ଧରାରେ ପୁଲକ
ପରାନନ୍ଦ ବୀଜ ବୁଣାଯିବ । ୧ ।
କଳିନ୍ଦଜା କୂଳ ବିପିନ ବକୁଳ
ମଞ୍ଜୁଳ ମଞ୍ଜରୀ ନିଳୟ ବଳୟେ
ସୁରଭି ସୁଷମ ବିବିଧ କୁସୁମ
-ମୟ ଚନ୍ଦ୍ରାତପ ଟଣାଯିବ । ୨ ।
ଆମ୍ଭେମାନେ ଘେରିଥିବୁ ପରିଚାରୀ
ଜନ ପରି ଚାରି ପାରୁଶରେ ଘେରି
ଲକୁଚ କୁଚାରେ ନୃପ ଉପଚାରେ
ଏ ପଦ ପହଣ୍ଡ ମଣାଯିବ । ୩ ।
ହେବ ସ୍ମର ବଳ ଜନ୍ୟ ମହୋଜ୍ଜ୍ୱଳ
ଶୃଙ୍ଗାର ମଙ୍ଗଳମୟ ବନସ୍ଥଳ
କଳାବତୀ କୁଳବ୍ରତ ତରୁ ମୂଳ
ଜଟାତଟୀଠାରୁ ହଣାଯିବ । ୪ ।
କିଶୋର ଅରୁଣ ପଙ୍କଜ ଚରଣ
ସ୍ତନେ ଲଗାଇବା ତା ତୁଲେ ଗାଇବା
ବ୍ରଜ ବରାରୋହା ସମୁଦୟ ମହା
ଧନ୍ୟ ମୂର୍ଦ୍ଧନ୍ୟରେ ଗଣାଯିବ । ୫ ।
ଅଷ୍ଟଦୁର୍ଗପତି କହେ ଗୋ ସୁଦତି
ଦୁଇ ହୃଦ ସ୍ନେହ ପୀୟୂଷ ପ୍ରବାହ
ବଇଶାଖ ରାକା ରଜନୀରେ ଏକା
ଛଣାଗଲା ପରି ଜଣାଯିବ । ୬ ।