(ବୀରବିକ୍ରମ ଦେବ— ରାଗ ସୁରଠ ମଲ୍ଲାର, ତାଳ ଏକତାଳି)
ଝୁରୁଥିବନି ମୋହ ବିନା ଯେ
ଦୁର୍ଦ୍ଦିନ ଦିନେ ସଜନୀ । ଘୋଷା ।
ଏକେ ଘନ କାଳ ଖତମାଳ ମାଳ
ନୀଳ ନଭ ମଣ୍ଡଳକୁ ଘୋଟି
ବରଷୁଛି ଅବିରଳେ ମୂଷଳ ଧାର ପ୍ରବଳେ
ବନଜାକ୍ଷୀ ଦେଖି ଦୁଃଖୀ ହେବନିରେ ହେବନି । ୧ ।
ଦମ୍ଭୋଳି ଗର୍ଜ୍ଜନ ଦରଦୂର ସ୍ୱନ
ବିରହୀ ଜନର ଦମ୍ଭହରା
ଝଟକ ହାଟକଦେହା ସହି କି ପାରିବ ଏହା
କି ଦଣ୍ଡ ଲଭିଲୁ ଧନ ମୋ ଘେନିରେ ମୋ ଘେନି । ୨ ।
ଯୂଈ ଜାଈ ମଲ୍ଲୀ ପରେ ଅଳି କେଳି
ନୟନ ସଖାଳି ମୋ ଚାହିଁଲେ
ପାପ କାମ ବାଜିରାଜି ବିନ୍ଧି ମରମକୁ ଖୋଜି
ଆଜନ୍ମସୁଖୀକି ଧାଡ଼ି ଦେବନିରେ ଦେବନି । ୩ ।
ଧରାଲୋକ ପରା ହୋଇ ବନ୍ଧୁ ଧରା ଶେଯେ
ଶୋଇଥିବ ମୁଖ ମୋଡ଼ି
ଶୁଣି ଡାହୁକ ଡାକକୁ ଦାଉ ଦାଉ ହେବ ବୁକୁ
ଝଞ୍ଜାବାତେ ତନୁ ଥରିଯିବନିରେ ଯିବନି । ୪ ।