(ଚନ୍ଦ୍ରଚୂଡ଼ାମଣି ଜଗଦ୍ଦେବ ହରିଚନ୍ଦନ— ରାଗ ଆନନ୍ଦ କେଦାର, ତାଳ ଯତି)
ଜୀବସଙ୍ଗିନି ଘେନରେ, ମୋ ବିନତିକି, ମୋ ଭାରତୀକି
କରେ ଗୁହାରି ଗୋ ନ ଘେନୁ କାହିଁକି । ଘୋଷା ।
କିପାଇଁ ବିପଞ୍ଚୀବଚନା ରେ ଘୁଞ୍ଚି
ବସିଛୁ କି ମୁଞ୍ଚି କଲି ମୁଁ ଯାହାରେ
(ପଡ଼ି)
ଆନ ଘେନ ତୁ କାନରେ
ଧନ ମାନରେ ପରିତ୍ରାଣରେ
ସାନ ନ କର ତୁ ପରବଚନରେ
ଜ୍ଞାନ ଧରି ମୋ ଜଣାଣ ଘେନ ବାରେ ।୧।
ଦୟା ହେଲେ ଗୋରି ଯିବି ମୁହିଁ ତରି
ନୋହିଲେ କିଶୋରି ଯିବି ମୁଁ କାହାରେ ।୨।
ମୋ ମିନତି ଘେନା କର ଚନ୍ଦ୍ରାନନା
ନ କର ଗୋ ମନା ରଖ ସ୍ନେହଭରେ ।୩।
ସୁରଙ୍ଗା ଅଧରି ଅନଙ୍ଗରେ ସରି
ଯାଉଛି ଗୋ ଧରି ରଖ ମୁଁ ଜୁହାରେ ।୪।
ଚନ୍ଦ୍ରଚୂଡ଼ାମଣି ଏ ରସରେ ଭଣି
ତୋ ପରା କାମିନୀ ନାହିଁ ତିନିପୁରେ ।୫।