Josabara Re Jatharatha Re Jana

ଯୋଷାବର ରେ ଯଥାର୍ଥରେ ଜାଣ
(Kabisurjya— Raga Mukhari, Tala Jati)
(କବିସୂର୍ଯ୍ୟ— ରାଗ ମୁଖାରୀ, ତାଳ ଯତି)

Ja Patala — Kisorachandrananda Champu
ଯ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ଯୋଷାବର ରେ
ଯଥାର୍ଥରେ ଜାଣ ମୁଁ ତୋହର ରେ
ଯାମଳ ଭୂଧର ନିଭ ପୟୋଧର
ମରଦନିଆ ଚାକର ରେ ।ପଦ।

ଯାବକ ତୋ ପଦକଞ୍ଜର ସମଦ
ଗଜଗତି ମୋ ଶେଖର ରେ
ଯତୀନ୍ଦ୍ର ସମାଧି ଖଣ୍ଡନା ତୁ ନିଧି
ମୁଁ ରଙ୍କମାନଙ୍କ ବର ରେ । ୧ ।

ଯମକ କି ତୁହି ପୂର୍ଣ୍ଣଚନ୍ଦ୍ର ମୁହୀଁ
ମୋ ମହା ଶୁଭ ଦଶାର ରେ
ଯତ୍ନେ ସମ୍ପାଦିବା ଚିନ୍ତାମଣି ଅବା
ମୋ କରେ ହେଲୁ ସୁସାରରେ । ୨ ।

ଯୁବତୀ କଦମ୍ବ ରାଜା ଅବଲମ୍ବ
ହୋଇଲୁ ଯେବେ ନିକର ରେ
ଯୁଦ୍ଧକୁ ସନ୍ନଦ୍ଧ ହେଉ ଅତି କ୍ରୁଦ୍ଧ
ହୋଇ ପଛେ ପଞ୍ଚଶରରେ । ୩ ।

ଯମୁନା ବାହିନୀ ତଟରୁହ ବନୀ
ଅବନୀ ଅନାଇବାର ରେ
ଯଶ ରଖି ନିନ୍ଦା ପଟଳୀରୁ ବୃନ୍ଦା
କରାଇଲା ତ ନିବାର ରେ । ୪ ।

ଯଶୋଦା କୁମର ଗିରେ ରାଧା ଶିର
ନୁଆଇଁଲେ ଲଜ୍ଜାଭର ରେ
ଯୁଗଳ ବିଗ୍ରହ କର ଅନୁଗ୍ରହ
ଅଷ୍ଟଦୁର୍ଗ ପୁରନ୍ଦରରେ । ୫ ।