(ବନମାଳୀ— ରାଗ ଶଙ୍କରାଭରଣ, ତାଳ ଆଠତାଳି)
କହ ଗୋ କି ବୁଦ୍ଧି କରିବି
ପ୍ରାଣନାଥ ନଇଲେ ତ ଜୀବନ ହାରିବି । ଘୋଷା ।
ଯେ ଦେଶରେ ରହିଛନ୍ତି ମୋର ପ୍ରାଣପତି
ସେ ଦେଶରେ ନାହିଁ ପରା ମାର ଶର ଭୀତି । ୧ ।
ଯେତିକି ଟେକନ୍ତି କାନ୍ତ ତେତିକି ପକାନ୍ତି
ଭ୍ରମରଙ୍କ ପରି ସିନା ପୁରୁଷଙ୍କ ମତି । ୨ ।
ଅଙ୍କ ବିନା ମୋତେ କାନ୍ତ ନ ବସାନ୍ତି ଆନେ
ସେ ଏଡ଼େ ନିଷ୍ଠୁର ବୋଲି ଥିଲା କାହା ମନେ । ୩ ।
ଅବଧି ତ ବଳିଗଲା କାନ୍ତ ମୋ ନଇଲେ
କାହା ସୁଖ ଅଭିଳାଷେ ମୋତେ ପାସୋରିଲେ । ୪ ।
କହେ ବନମାଳୀ ଦାସ ସ୍ଥିର କରି ମତି
ଅବଶ୍ୟ ଆସିବେ ଶ୍ୟାମ ନ ଭାଳ ଶ୍ରୀମତୀ । ୫ ।