(ବେଣୁଧର— ରାଗ କୃଷ୍ଣକେଦାର, ତାଳ ଯତି)
କହ କହ କି କରିବି ପ୍ରିୟସହି
ଶ୍ୟାମ ପ୍ରୀତି ମନୁ ଗଲା ତ ନାହିଁ । ଘୋଷା ।
ଦିନ ଦିନକର ଭାବ ଗୋ
ଭାବିଲେ କିଏ ସେ ଦେବ ଗୋ
ବେଳକୁ ବେଳ ତ ମରମ ହେଉଛି ଦହି । ୧ ।
ଦିନେ ମୁଁ ଯମୁନା ପାଣିକି
ଯାଆନ୍ତେ ସେ ବେଣୁପାଣିକି
ଦେଖି ତ ପାଦ ତେଣିକି ଚଳିଲା ନାହିଁ । ୨ ।
ଦିନେ ବନେ ବନମାଳୀ ଗୋ
ଥିଲେ ଗଲି ଫୁଲ ତୋଳି ଗୋ
ଯାହା କଲେ ଆଗୋ ଆଳି ନୁହଇଁ କହି । ୩ ।
ଦିନେ ସଜନୀ ସୁବେଶରେ
ପ୍ରବେଶିଲେ ସେ ମୋ ପାଶରେ
କରକୁ ଧରିଣ କେତେ ଗୋ ହେଲେ ବିନୟୀ । ୪ ।
ବୋଲେ ବେଣୁଧର ପରା ଗୋ
ସେ ତୁମ୍ଭ ହୃଦୟହାରା ଗୋ
କି ଦୋଷେ ତେଜିଣ ମଥୁରା ରହିଲେ ଯାଇ । ୫ ।