(କବିସୂର୍ଯ୍ୟ— ରାଗ କେଦାର କାମୋଦୀ, ତାଳ ତ୍ରିପଟା)
କହ ରେ ଜୀବସଙ୍ଗିନୀ
ତୋ ମନ ଘନଶ୍ଯାମ ରସେ ବଳିଲା କି
ପଦେ ପଦେ ସୁଖ ଦେବା ପ୍ରେମ ଲେଖ
ମିଳିଲା କି ବାଞ୍ଛା ଫଳିଲା କି । ଘୋଷା ।
ତରଣିଜାକୂଳ ନୀପମୂଳସ୍ଥଳ
କୁତୂହଳ ରୋଳ ଏ ତୋ ନେତ୍ରାଞ୍ଚଳ
ମୋହନ ବିଗ୍ରହେ ଅକପଟ ସ୍ନେହେ
ଢଳିଲା କି ଚିତ୍ତ ଚଳିଲା କି । ୧ ।
ପୁର ଦଳନାରି ଅମଳେ ତୁ ଘାରି
ହେଉଥିଲୁ ନାରୀମଣି ମନୋହାରୀ
ଧଇର୍ଯ୍ୟ ସରୋଜ ବନନୀଳ ଗଜ
ଦଳିଲା କି ତହୁଁ ଲୁଳିଲା କି । ୨ ।
ଅବସର ଦଣ୍ଡକରେ ସେ ଶିଖଣ୍ଡ
-ମଣ୍ଡନ ଅଖଣ୍ଡ ନୟନାନ୍ତ ଦଣ୍ଡ
ତୋ ମରଜି ବକ୍ର ବସୁନ୍ଧରା ଚକ୍ର
ନଳିଲା କି ସବୁ କଳିଲା କି । ୩ ।
ଏ କି ଚମତ୍କାର ସେ ତ ସୁକୁମାର
ଶୃଙ୍ଗାର ମଙ୍ଗଳ ମୂରତି କିଶୋର
ତାହା ମନମୁନ ତୋ କଠିନ ସ୍ତନ
ଗଳିଲା କି ଏଥୁଁ ବଳିଲା କି । ୪ ।
ରଜତେ ରଜତ ଶାତକୁମ୍ଭେ ଶାତ
-କୁମ୍ଭ ସିନା ଝଳେ ଜଗତେ ବିଦିତ
ଜମ୍ବୁନଦସାର ତଳରେ ମସାର
ଝଳିଲା କି ତାପ ଟଳିଲା କି । ୫ ।
ଜଗଦ୍ଦେବ ବାଲୁକେଶ ବସୁନ୍ଧରା
ବଳୟ ଅମରପତି ବୋଲେ ତ୍ୱରା
ଖେଦତିମିରକୁ ମଦ କଉମୁଦୀ
ଗିଳିଲା କି କାଳ ମିଳିଲା କି । ୬ ।