(ବନମାଳୀ— ରାଗ ଖମ୍ବାବତୀ, ତାଳ ରୂପକ)
କହ ସଜନୀ ଲୋ ଆଉ ମୁଁ ଏଣିକି
ପାଶୋରିବି କିପରି ସେ ମୁରଲୀ ପାଣିକି । ଘୋଷା ।
ଧୀର ଲଳିତ ତ୍ରିଭଙ୍ଗ ତା ଠିଆ ଠାଣିକି
ଦେଖି କେ ନ ଭୁଲିବ ତା ବାଙ୍କ ଚାହାଣୀକି । ୧ ।
ମୃଦୁ ମୃଦୁ ହସା ଛଣା ପୀୟୂଷ ବାଣୀକି
ଶୁଣିଲେ କେଉଁ ରମଣୀ ରଖିବ ଆଣିକି । ୨ ।
ଝୁମୁ ଝୁମୁ ତା ପାଦ ନୂପୁର ନିଶାଣିକି
ପଥର ହେଲେ ତରଳ ନୋହିବ ପାଣିକି । ୩ ।
ଶ୍ୟାମ ବିଚ୍ଛେଦରେ ହୃଦ ନ ହେବ ହାଣିକି
ବୋଲେ ବନମାଳୀ ଏହା ନାହିଁ ମୁଁ ଜାଣିକି । ୪ ।