(ବନମାଳୀ— ରାଗ କାଫି, ତାଳ ଝମ୍ପା)
କହ ଲୋ ସଜନୀ ସେ କଦମ୍ବ ମୂଳେ କେ ସେ
ନବୀନ ନୀରଦ ତନୁ କେଡ଼େ ଶୋଭା ଦିଶେ । ଘୋଷା ।
କିଶୋର ବୟସ ତାର । ଛବି ଦିଶେ ମନୋହର ।
ନାଗରୀଙ୍କ ଚିତ୍ତଚୋର ନଟବର ବେଶେ । ୧ ।
ମନେ କର ବିବେଚନା । ଜାଣେ କି ମନ୍ତ୍ର ରଚନା ।
ଘେନିଥାଇ ଗୋରଚନା ବିନ୍ଦୁ ଭାଲ ଦିଶେ । ୨ ।
ମନରେ କି ରୋଷ ବହି । ଅବଳା ବଧିବା ପାଇଁ ।
ଜାଣିଲି ନିଶ୍ଚୟ ବିହି ଆଣିଛି ଏ ଦେଶେ । ୩ ।
ବନମାଳୀ ଦାସ ଭଣି । ସେ ପରା ମୁରଲୀପାଣି ।
ପରଚେ ହେଲେ ତା ଠାରେ ଜାଣିବୁ ତୁ ଯେ ସେ । ୪ ।