(କବିସୂର୍ଯ୍ୟ— ରାଗ ନଟନାରାୟଣ, ତାଳ ଯତି)
ଆଉ କି ସହୀ ସହି କରିବ ଗୋ
କହି ମହତ ସିନା ସରିବ ଗୋ । ଘୋଷା ।
ଶ୍ୟାମ ଗୁଣ ପରଖି ଚିତ୍ତ ଭିତରେ ସଖି
ରଖିଲାଣି କିପରି ଭାରିବ ଗୋ
ଭରିଗଲାଣି କ୍ଷୀରଭାଣ୍ଡରେ ଯେବେ ଖାର
ଛାଣି କେ ସ୍ୱାଦୁ ବାରିପାରିବ ଗୋ । ୧ ।
ବୁଝିଲାଣି ମରଜି ଆଉ କି ହୋଇ ରାଜି
ନିକୁଞ୍ଜେ ତୋ ସଙ୍ଗେ ବିହରିବ ଗୋ
ସୁଧାରେ ବିଷ ଦେଇ ଯତ୍ନେ ଛାଣିଲେ ନେଇ
ତହୁଁ କି ମଧୁ ଆଉ ଝରିବ ଗୋ । ୨ ।
ଦେଲାଣି ସ୍ନେହ ଭାଙ୍ଗି ତୋ ଠାରୁ ସେ ଶୁଭାଙ୍ଗୀ
ଆଉ କି ତୋ ବୋଲ ସେ କରିବ ଗୋ
ଛେଦି ପାଦପ ମୂଳ ସିଞ୍ଚିଲେ ନେଇ ଜଳ
ସେ କି ନବପଲ୍ଲବ ଧରିବ ଗୋ । ୩ ।
ଅଷ୍ଟଦୁର୍ଗ ଅବନୀପତି ଭାଷେ ସଜନୀ
ଆଉ କି ତୋ ଦୁଃଖ ସେ ହରିବ ଗୋ
ପରଖ ଦେବା ଲାଞ୍ଚ କଲାଣି ଯେବେ ପାଞ୍ଚ
ପଞ୍ଚବାଣକୁ ସେ କି ଡରିବ ଗୋ । ୪ ।