(କବିସୂର୍ଯ୍ୟ— ରାଗ କାମୋଦୀ, ତାଳ ଆଡ଼ତାଳି)
କହିବାକୁ ଲାଜ
ସଖୀ ଯାହା ହେଲା ଆଜ । ଘୋଷା ।
ପହୁଡ଼ିଥିଲେ ଜଣା ନ ଥିଲା ମୋତେ ବୀଣା
ଆଳାପେ ଲଗାଇଲି ଗେଲେ ଲୟ
କାନ୍ତ ମୋ ଗଣ୍ଡେ ଆସି ଚୁମ୍ବିଲେ ପରଶଂସି
ମରଣୁ ବଳିଗଲା ସେ ସମୟ । ୧ ।
ଖସିପଡ଼ିଲା କରୁ ବିପଞ୍ଚୀ ଧରୁ ଧରୁ
ମେରୁ ଗରୁଆ ହେଲା ଗଭାଫୁଲ
ଟେକି ନୋହିଲା ମୁଖ ତହିଁ ପଞ୍ଚବିଶିଖ
ଚଣ୍ଡାଳ କଲା କେତେ କଲବଲ । ୨ ।
ଚୁମ୍ବିଲେ ଅଙ୍ଗସୀମା ଜାତ ପୁଲକରମା
ଶୀତ୍କାର ଉପୁଜିଲା ବାରମ୍ବାର
ନିବିଡ଼ ଭୁଜବନ୍ଧୁ ଛାଡ଼ି ନ ଦେଲେ ବନ୍ଧୁ
ପଳାଇବାକୁ କାହିଁ ରାହା ମୋର । ୩ ।
କେତେ କଥାକୁ ଏତେ ଦଶା ଲଭିଲି ଚିତ୍ତେ
କି ନ କଲା ଏ ଲାଜ ଘେନ ମନେ
କିପରି ଗୋ ସଙ୍ଗାତ ବିପରୀତ ସୁରତ
ରସକୁ ରସୁଥାନ୍ତି ବାମାମାନେ । ୪ ।
କହଇ କବିସୂର୍ଯ୍ୟ ଶୁଣ ପଣ୍ଡିତ ଆର୍ଯ୍ୟ
ହେଲେ ହୋଇବ ଏକ ଗୁଣ ଲୋପ
ଆଉ ପାପ ସଙ୍ଗୀତ ବିଦ୍ୟା ସଧରେ ଚିତ୍ତ
ନ ଦେବି ବୋଲି କଲି ସଂକଳପ । ୫ ।