(ବୀରବିକ୍ରମ ଦେବ— ରାଗ ଶ୍ରୀ, ତାଳ ଯତି)
ସହି ଲୋ କହିଲେ କି ହେବ ଆଉ
ରହି ନ ପାରଇ ସେ ରୂପ ନ ଦେଖି
ତେଜିବାର ତେଣେ ଥାଉ । ଘୋଷା ।
ଅନୁକ୍ଷଣେ ତାଙ୍କ ଭାବ ମନେ ପଡ଼ି
ଉଲ୍ଲସି ଉଠଇ ତନୁ
କୋଟି କୋଟି ଶର ମରମକୁ ମୋର
ପ୍ରହାରଇ ଫୁଲଧନୁ । ୧ ।
କି ମୋହନ ଛବି କି ସୁନ୍ଦର ମୁଖ
ନିନ୍ଦା କରେ ସୁଧା ଭାନୁ
ଯେଣିକି ଚାହିଁଲେ ତେଣେ ଦିଶୁଥାଇ
ବରଜି ନୁହଇ ମନୁ । ୨ ।
ଆଖର ଭାରତୀ ଶୁଣରେ ପୀରତି
କୁଶଳା ଚତୁରୀମଣି
ତନୁ ତୁଲେ ତାଙ୍କୁ ପଞ୍ଚମନ ପ୍ରାଣ
ସମର୍ପି ଯେବେ ଦେଲିଣି । ୩ ।
ସରିଲାଣି ସୁଖ ବଳିଲାଣି ଦୁଃଖ
ବିରହ ସନ୍ତାପେ ପଡ଼ି
ବୀରବିକ୍ରମର ମନା କଲା ଗିର
ଯେବେ ମୁଁ ଦେଇଛି ଏଡ଼ି । ୪ ।