(କବିସୂର୍ଯ୍ୟ— ରାଗ ଶଙ୍କରାଭରଣ, ତାଳ ପହପଟ)
କାହିଁକି ଆଜ ଦ୍ୱିଜରାଜ ବଦନେ
ଲାଜ ଭରି କିଶୋରୀ ନ ଚୁମ୍ବାଉ ଗୋ
ଅରସବତୀ ଘନକୁନ୍ତଳା ବୋଲି ଜନ
ନ ବୋଲନ୍ତୁ ତୋ ଊଣା ଯାଉ ଗୋ । ଘୋଷା ।
ରସାଇବାକୁ ତୋତେ ମିଳିବ ନାହିଁ ରତେ
ମୋ ପରି ପରିଜନ ଆଉ ଗୋ । ୧ ।
ତୋ ବଧୁଲି ଅଧର ସ୍ୱର୍ଗ ସୁଧା ମଧୁର
ମୋର ରସନାକୁ ସମଜାଉ ଗୋ ।
ଜାଣୁ ତ ପ୍ରାଣମିତ ମାର ମାର୍ଗଣ ଜାତ
ସମୟ ଏ କେମନ୍ତ ଦାଉ ଗୋ । ୨ ।
କୋଟିଏ ଅଭଳାଷ ବହି ଆସିଛି ପାଶ
ସମ୍ପ୍ରତି ଚରମକୁ ଥାଉ ଗୋ ।
କୋଳେ ନିଶ୍ଚଳେ ବସ କରି ସବ୍ରୀଡ଼ ହାସ
କବିମିହିର ଦୁଃଖ ଯାଉ ଗୋ । ୩ ।