(ବନମାଳୀ— ରାଗ ଚକ୍ରବାକ, ତାଳ ଝମ୍ପା)
କାହିଁକି ନୋଇଲେ ମୋର କୁଞ୍ଜକୁ ଶ୍ୟାମ ନାଗର
କି ମନ୍ତ୍ର କଲା ସେ କେଉଁ ଚତୁରୀ ରସିକାବର । ଘୋଷା ।
ଜାଳି ରତ୍ନ ଦୀପାବଳୀ ଅତି ସୁଯତନ କରି
ମଣ୍ଡିଥିଲି କେଳିବାସ ସବୁ ହେଲା ନାରଖାର । ୧ ।
ଜାଣି ମୁଁ ଅତି ହରଷେ ଟାଣି ଚନ୍ଦ୍ରାତପ ତୋଷେ
ବାଣୀକି ବିଶ୍ୱାସ କରି ହେଲି ସଖୀ ଏତେ ଦୂର । ୨ ।
ଚୂଆ ଚନ୍ଦନକୁ ଗୋଳି ଗୁନ୍ଥିଲି ନିଆଳୀ ମାଳି
ଭାଙ୍ଗିଥିଲି ନାଗବଲ୍ଲୀ ବାସି କଲେ ବଂଶୀଧର । ୩ ।
ଶ୍ରୀହସ୍ତେ ମୁରଲୀ ଛୁଇଁ କହିଥିଲେ ଆନ ଦେଇ
କାହିଁଗଲା ସତେ ଆହା ସେ ଆଶା ଭରସା ମୋର । ୪ ।
ବନମାଳୀ ଦାସ ଭଣି କି ହେବ କଲେ ଭାଳେଣି
ଭୁଲାଇ ମଲ୍ଲ ଘରଣୀ ବନ୍ଦୀ କଲା ଏ ନିଶାର । ୫ ।