(କବିସୂର୍ଯ୍ୟ— ରାଗ ନଳିନୀଗୌଡ଼ା, ତାଳ ଯତି)
କାହିଁକି ରେ ମନେ ନାହିଁ କିରେ । ଘୋଷା ।
ଜାଣି କରୁଣା ତୋର ହେଲି ବିନୟଭର
ପେଷିଲି ଶିଶୁଚାର ନ ଲେଖିଲୁ ଉତ୍ତର । ୧ ।
ହୁଡ଼ିଗଲୁ ଛପଟ କ୍ଷମା କର ନିପଟ
ଯେ ହେବ ଲାଗି ପଟ ତାରେ ଏଡ଼େ କପଟ । ୨ ।
ମୋ ଗୁଣ ଚିହ୍ନାଇଲୁ ସଖୀଙ୍କି ଘେନାଇଲୁ
ସବୁ ତ ବନାଇଲୁ ହସି ନ ଅନାଇଲୁ । ୩ ।
ଏବେ ମୋ ଅଙ୍କେ ରାଜହଂସ ଗତି ବିରାଜ
ସ୍ୱଜନେ ଗଣି ଆଜ ତେଜ ଏଠାରେ ଲାଜ । ୪ ।
ଜାଣି ମୋ ବିସମକୁ ମୋ ନଖ ବିକ୍ରମକୁ
କାମଖଣ୍ଡା ଝଟକୁ ଥିଲା ପରି ଚମକୁ । ୫ ।
ସୁଖ ମନୋରଥରେ ଗଲି ପ୍ରେମ ପଥରେ
ଅଷ୍ଟଦୁର୍ଗ ନାଥରେ ଦୃଷ୍ଟି ନ ଦେଲୁ ଥରେ । ୬ ।