(କବିସୂର୍ଯ୍ୟ— ରାଗ କାମୋଦୀ, ତାଳ ଆଡ଼ତାଳି)
କାହିଁରେ ମନ ସହି ପ୍ରସନ୍ନ ହେଉନାହିଁ
ଏଥିକି କହ କେଉଁ ଗତିକି ରେ
କି କରି ଅରଜିବି କି କରି ବରଜିବି
ସେ ନବଘନ ଶ୍ୟାମ ପ୍ରୀତିକି ରେ । ଘୋଷା ।
ଯୁଗଠାରୁ ଅଧିକ ହୋଇଲାନି ପଲକ
କେମନ୍ତେ ସମ୍ଭାଳିବି ଧୃତିକି ରେ
ତ୍ରିଭୁବନ ମୋହନ ବିଷମ ବଂଶୀସ୍ୱନ
କାହୁଁ ଚୁମ୍ବିଲା ମୋର ଶ୍ରୁତିକି ରେ । ୧ ।
ଇନ୍ଦ୍ରନୀଳ କପାଟ ପୁଟରୁଚି ସେ ନଟବର
ମୁକୁଟମଣି ହାତୀକି ରେ
ମାନସେ ଭାବି ଭାବି କ୍ରମେ କି ଛାଡ଼ିଦେବି
କୁଳବରତ ଜାତି ନୀତିକି ରେ । ୨ ।
ଗରଳ ଗିଳି ଅବା ରବିନନ୍ଦନ ସେବା
ବିଧିରେ ବଳାଇବି ମତିକି ରେ
ଅବା ଶ୍ୟାମ ସଙ୍ଗତି ଲଭି ସୁଭାଗ୍ୟବତୀ
ମଣ୍ଡଳେ ଟେକାଇବି ଛତିକି ରେ । ୩ ।
ନିକୁଞ୍ଜେ ସେତେବେଳେ ଘେନି ବସିବି କୋଳେ
ସେ ନବକିଶୋର ମୂରତିକି ରେ
ପରତେ ନାହିଁ ମୋର କରତେ ମଦନର
ବସିପାରିବି କି ବରତିକି ରେ । ୪ ।
କହେ ଶ୍ରୀ ଛୋଟରାୟ ନୃପତି କୁବଳୟ
ନେତ୍ରେ ଲପନ ନିଶାପତିକି ରେ
ଦେଖାଇ ଦେଇ ଥରେ ଏବେ ଭାଗ୍ୟପଥରେ
ପକାଇ ନେବେ ଅକୀରତିକି ରେ । ୫ ।