(କବିସୂର୍ଯ୍ୟ— ରାଗ ମଧ୍ୟମାଦି, ତାଳ ରୂପକ)
କଳାକୁଶଳା ରେ ସତେ କହିଲା କି ସଖୀ
ତୋ ବିନା ମୋ ସ୍ନେହ ଆନେ ଥିଲା ପରି ଦେଖି । ଘୋଷା ।
ନୂତନାମ୍ବୁଦ ମଣ୍ଡଳୀକି କି ଚାତକାଣ୍ଡଜ ତେଜଇ
ଭୂତଳେ ସରସୀଜଳେ ନିକି ତା ତୃଷା ଭାଜଇ
ସ୍ୱର୍ଣ୍ଣଦୀକୃତ ହଂସ କି କୂପକେଳିକି ସାଜଇ
ଏ କର କି ଆନ ନାରୀ ଚିବୁକେ ବାଜଇ । ୧ ।
ତୋ କୃପାତରୁ ମୋ ମଦୋନ୍ନତ ଶାଖିମୌଳି ନ ମାଇଲା
କୌତୁକେ ରଚିବାର ପାଟବ ମୋ ପରା ଜନ ମାଇଲା
ମାନସେ ଅନୁମାନ ସେ ପରିହାସିନୀ ଜନ ମାଇଲା
ପଙ୍କଜବାନ୍ଧବେ ତ କଳଙ୍କ ଜନମାଇଁଲା । ୨ ।
ତଥ୍ୟ ମାନି ଅତଥ୍ୟ ଭାଷି ତ ପୋତନା ମୁଖ ମାନରେ
ବାହାକୁ ପ୍ରବଳାଇ ଦେ ପରିରମ୍ଭବୈଭବ ଦାନରେ
ତୋଷ ମୋ ରସନାକୁ ତୋ ମଧୁରାଧରାମୃତ ପାନରେ
ରସ ଧନ ମଦନମର୍ଦ୍ଦନ ବିଧାନରେ । ୩ ।
ରାସରଙ୍ଗିନୀ ଆସ ସୁନ୍ଦରୀ ହାସକୁନ୍ଦ ବିକାଶରେ
ବାସବାଶ୍ରୟ ବାସ ଭାଗ୍ୟ ବିଳାସ ଦେ ନ ବିନାଶରେ
ଭାସମାନ ଜବାଧରା କି ନିରାଶରେ ନିଜ ଦାସରେ
ଅନ୍ତରାୟ ନ ରଚ ମୋ ସୁଖାଭିଳାଷରେ । ୪ ।
ଆଧିକାତର ନନ୍ଦନନ୍ଦନ ଚାରୁପାଟବ ବାଣୀରେ
ରାଧିକା ସୁଗୁଣାଧିକା ସ୍ୱକପୋଳକୁ ନିଜ ପାଣିରେ
ଛାଡ଼ିଲେ ରଖିବାର ମାନସମୋହନ ସ୍ମିତ ଠାଣିରେ
ବନ୍ଦେ ଅଷ୍ଟଦୁର୍ଗନାଥ ଲୁଠି ଧରଣୀରେ । ୫ ।