(ବେଣୁଧର— ରାଗ ତୋଡ଼ି, ତାଳ ଏକତାଳି)
କାଳିଆ କାଳିଆ ବୋଲି ଏ ଜୀବନ ଯାଉ ଗୋ
ଭାଳି ବସିଲା କେ ମୋତେ ନ ଦିଶେ ଆଉ । ଘୋଷା ।
ଆଳି ସେ ମୋର ସଙ୍ଖାଳି ଚିତ୍ତଚୋରା ବନମାଳୀ
ଟାଳି ଅଭିମାନ ରାଧା ତା ଗୁଣ ଗାଉ । ୧ ।
ଢାଳି ନେତ୍ରୁ ଅଶ୍ରୁବାରି ଧ୍ୟାନ କରି ବଂଶୀଧାରୀ
ପାଳିଥିବି ଦୃଢ଼ ବ୍ରତ କୀରତି ଥାଉ । ୨ ।
କାଳି ଲାଗୁ ପଛେ କୁଳେ ନ ରଖନ୍ତୁ ଏ ଗୋକୁଳେ
ଝାଳି ଛନ୍ଦା ପଦେ ମନ ପ୍ରାଣ ବିକାଉ । ୩ ।
ତାଳି ମାରି ଅସହଣୀ ହସିଲେ ହସନ୍ତୁ ପୁଣି
ଥାଳି ସେ ମୁଁ ଯୋଗିନୀର କେ ନ ଖସାଉ । ୪ ।
ଚାଳିବା ଭୂରୁ ତା ଚାହିଁ ବାଳୀଶ ହେବାର ରାଇ
ମାଳି କରି ବେଣୁଧର କୃଷ୍ଣ ଭଜାଉ । ୫ ।