(ଦ୍ୱିଜ ଲୋକନାଥ)
କାନ୍ଦନା କାନ୍ଦନା ଆରେ ଶ୍ୟାମସୁନ୍ଦର
ପଛେ କ୍ଷୀର ଦେବି ତୋତେ ଧରି କୋଳର । ଘୋଷା ।
ଜଞ୍ଜାଳ ନ କର ତୁହି ଦଧି ମନ୍ଥିବଇଁ ମୁହିଁ
ମାସିକର ବୁଝିନିଏ ଦୁଷ୍ଟ ଅସୁର । ୧ ।
ସମ ବୟସ ଗୋପାଳ ଡାକୁଛନ୍ତି ହୋଇ ମେଳ
ଖେଳ ଖେଳିବାର ଆଜ ହେଲା ଉଛୁର । ୨ ।
କାନ କାଟିନେବ କୋକ ନ କାନ୍ଦରେ ପଦ୍ମମୁଖ
ଏଡ଼େ ଦୁଷ୍ଟ କାନକଟା ଅଛି ଏ ଘର । ୩ ।
କୋଳକୁ ମୁଁ ଡାକି ଆଗେ ଆସ କୋଳ ତୁହି ବେଗେ
କହ୍ନାଇର କାନ କାଟି ନିଅ ସତ୍ୱର । ୪ ।
ଡରାଇ କହନ୍ତି ରାଣୀ ନ ଡରନ୍ତି ନୀଳମଣି
ଚଳି ହୋଇ କରି ଗାଳି ଦ୍ୟନ୍ତି ଅପାର । ୫ ।
ତୁ ବଡ଼ ନବରଙ୍ଗିଆ କା ଦେହ ସହିବ ଏହା
କାର କେତେ ସୁତ ନାହିଁ ଏ ଗୋପପୁର । ୬ ।
ଦଧି ମନ୍ଥି ମୁଁ ସାରିଲେ ଧରି ବସିବି କୋଳରେ
ଏଡ଼େ ଜଞ୍ଜାଳିଆ ପୁଅ ଅଛି କାହାର । ୭ ।
ମାତା ବାଣୀ କର୍ଣ୍ଣେ ଶୁଣି ସନ୍ତୋଷରେ କମ୍ବୁପାଣି
ଦ୍ୱିଜ ଲୋକନାଥ ଭଜି କୃଷ୍ଣ ପୟର । ୮ ।