(ଉପେନ୍ଦ୍ର ଭଞ୍ଜ— ରାଗ କେଦାର କାମୋଦୀ, ତାଳ ତ୍ରିପଟା)
କାନ୍ତ ବିନା ଦିବା ରଜନୀ ସଜନୀ
କୋଟି ଯୁଗ ସମ ହେଲାଟି ରେ । ଘୋଷା ।
କାହିଁ ସେ ରହିଲେ କିମ୍ପାଇଁ ନଇଲେ
ତେଣୁ କରି କାମ ଅନଳେ ଦହିଲେ
କିବା କେଉଁ ନାରୀ କି ମନ୍ତ୍ରେ ମୋହିଲା
ସେ ଦେଶେ ମଦନ ମଲାଟି ରେ । ୧ ।
ଭାରି ହେଲା ଆସି ଅଙ୍ଗକୁ ବସନ
ତଥି ପରେ ଆଭରଣ ଏ ଭୂଷଣ
ଦେଖ ଦେଖ ସଖୀ ଏ ଝଞ୍ଜା ପବନ
କାମ ବାଣେ ପ୍ରାଣ ନେଲାଟି ରେ । ୨ ।
ଯେବେ ଥାନ୍ତେ କାନ୍ତ ବସନ୍ତ କାଳରେ
ଘେନି ବଞ୍ଚୁଥାନ୍ତି ରଜନୀ କୋଳରେ
କେତେ କେତେ ପ୍ରୀତିମାନ କରୁଥାନ୍ତି
କେଡ଼େ ସୁଖ ତୁଟି ଗଲାଟି ରେ । ୩ ।
ତା ଲାଗି ଏ ଜୀବ ନାଶକୁ ଲଭିବ
ହତ୍ୟା ଦୋଷରେ କି କାରେଣି ହୋଇବ
କୁସୁମ ଭୂଷଣ ହେଲା ଅକାରଣ
ଭଣେ ଉପଇନ୍ଦ୍ର ଭଞ୍ଜଟି ରେ । ୪ ।