(କବିସୂର୍ଯ୍ୟ— ରାଗ ସାବେରୀ, ତାଳ ଯତି)
କର କ୍ଷମା ରେ ରତି ପ୍ରତିମା ତୁ
ଜଣା ନ ଥିଲା ମାଜଣା ହେବେ ବୋଲି ଜେମା । ଘୋଷା ।
କେଉଁ ପ୍ରତିହାରିଣୀ କି ଦାସୀ
କହିଥାନ୍ତା ଯେବେ ଧାଇଁ ଆସି
ତା ନ ମାନି ପଶିଥିଲେ ଝାସି
ମାନ ଉଚିତ ମୋ ଠାରେ ତନୁମଧ୍ୟମା ରେ । ୧ ।
ବାର ପାରି ନାହିଁ ରେ ସୁକେଶୀ
ବାରି ମଧ୍ୟେ ତୁ ଥିଲୁ ବିଳସି
ଚାରିପାଶେ ଘେରିଥିଲେ ଦାସୀ
ଭାରି ନିତମ୍ବ ସ୍ତନ ଜଘନ ସୁଷମାରେ । ୨ ।
ଭିଡ଼ି ରଦନେ ବସନାଞ୍ଚଳ
ତଡ଼ିଲ୍ଲତାରୁ ହୋଇ ଚଞ୍ଚଳ
ବଳାଶିଞ୍ଜିତ କରି ପ୍ରବଳ
ପଳାଇ ଯା ମଣ୍ଡିଦେଲୁ ମଣ୍ଡପ ସୀମାରେ । ୩ ।
ଦାଉ ପାଇ ମୁଁ ହେଜିଲି ଏବେ
ଆଉ ଏପରି କରିବି ଯେବେ
ସାରିଦେବୁ ମୋତେ ପରାଭବେ
ବାରିଜାକ୍ଷୀ ପୀନସ୍ତନେ ଆଜକ ଜମା ରେ । ୪ ।
ଶୁଣି ଶ୍ରୀକୃଷ୍ଣ ବିନୟ ବାଣୀ
ହରଷରେ ସେ ରମଣୀମଣି
ନିଧୂବନ ରଚିଲେ ସେକ୍ଷଣି
ବୋଲେ ବସୁଦୁର୍ଗ ବସୁନ୍ଧରା ସୁତ୍ରାମା ରେ । ୫ ।