(କବିସୂର୍ଯ୍ୟ— ରାଗ ତୋଡ଼ି, ତାଳ ଝୁଲା)
କେବଳ ତୋତେ ସିନା ଜଣା ରେ କେଳିପ୍ରବୀଣା
ପ୍ରଣୟ ଧନେ ପ୍ରାଣକିଣା ରେ । ଘୋଷା ।
ନେତ୍ରାନ୍ତ ଖେଳଯୁତ କରାଇ ମିତସ୍ମିତ
ବିବେକ କରି ଦେଉ ବଣା ରେ । ୧ ।
ଦରଶନ ଆରମ୍ଭେ ସରସ ଗିର ଦମ୍ଭେ
ପରଷିବାର ସରପଣା ରେ । ୨ ।
ଦରକଣ୍ଠୀ ସୁନ୍ଦର ଦରହାସ ମଧୁର
ସରସ ଗିର ପଦେ ଶୁଣା ରେ । ୩ ।
କରୁଣାମୟ ଚିତ୍ତେ ଅରୁଣାଧରା ମୋତେ
ତୋ ଦାସୀ ଗଣନାରେ ଗଣା ରେ । ୪ ।
ମୁଁ ଏହି ଅଭିଳାଷେ ଶିବ ଶିବାଙ୍କ ପାଶେ
କରୁଥାଏଟି ଜଣାମଣା ରେ । ୫ ।
ଗୁଣେ ଲାବଣ୍ୟବତୀ ପାଶେ ଭାରତୀ ରତି
ଦୁହେଁ ତୋ ଠାରୁ କିଛି ଊଣା ରେ । ୬ ।
ବୋଲେ ଶ୍ରୀ ଜଗଦ୍ଦେବ ତୋ ସ୍ନେହୁଁ ମନୋଭବ
ମସ୍ତକେ ମାରି ପାରେ ଠଣା ରେ । ୭ ।