(କବିସୂର୍ଯ୍ୟ— ଖେମଟା)
କେହି ସରିକି ପ୍ରଭୁପଣେ ନୀଳାଦ୍ରି କେଶରୀକି
ଯାଠାରେ ପୂରିଛି ଦୁଃଖୀ ଜନ ଦୟା
ନଖଠାରୁ ଶିଖା ସରିକି । ଘୋଷା ।
କି କହିବା ଆଉ ତାଙ୍କ ଶ୍ରୀଚରଣ
ଅନୁସରଣ ଚାତୁରୀକି
ବଜାଉଛନ୍ତି ବିଭୀଷଣ ଆଗରେ
ଜଗତ ବିଜୟ ତୂରୀକି । ୧ ।
ସାନକୁ ବଡ଼ କରିବାରେ ଉଡ଼ାଉ
ଅଛନ୍ତି ଧ୍ୱଜ ମଞ୍ଜରୀକି
ଦେଖ ନାଗ ନର ଗନ୍ଧର୍ବ କିନ୍ନର
ଉପରେ ଧ୍ରୁବ ନଗରୀକି । ୨ ।
କି କହିବି ତାଙ୍କ ପୀରତି କରିବା
କୀରତି ଚନ୍ଦ୍ର ମାଧୁରୀକି
ରଙ୍କ ବିପ୍ର ପାଦ ଧୁଆଇ ଯା ଦେଲେ
ରମା କରେ ରତ୍ନଝରୀକି । ୩ ।
କ୍ଷମାସାଗର ହେ ତାହାଙ୍କୁ ଭଜିଲେ
କାଳ କିଙ୍କରକୁ ଡରିକି
ବୋଲେ କବିସୂର୍ଯ୍ୟ ଆନ ଉପାୟକୁ
ପେଲି ଦିଅ ଗିରିଦରୀକି । ୪ ।