(ଗୋପାଳକୃଷ୍ଣ— ଖେମଟା)
କେଶର କୁଞ୍ଜ ଶେଯରେ
ବ୍ରଜେନ୍ଦୁ ବୃନ୍ଦାଙ୍କୁ ପୁଚ୍ଛନ୍ତି ଧୀରେ
ସହଚରୀ ରେ ରାଧା ବୋଲି କେ ବ୍ରଜରେ । ୧ ।
ଶୁଣିଲା ବେଳୁ ସେ ନାମ
ସୁଧା ପାନ ପରି ଲାଗୁଛି ଶର୍ମ୍ମ
ସହଚରୀ ରେ ଫିଟାଇ କହ ମରମ । ୨ ।
ଚଉଦିଗକୁ ଅନାଇଁ
ବୃନ୍ଦା ମନ୍ଦ ମନ୍ଦ ହସିଲା ହୋଇ
କହି ଆସୁଁ ଯେ ଅଙ୍ଗେ ପୁଲକ ପୂରଇ । ୩ ।
ସେ ଶ୍ରୀ ବୃଷଭାନୁ ଜେମା
କିଶୋରୀ ଗୋତ୍ର ନକ୍ଷତ୍ର ଚନ୍ଦ୍ରମା
ରସରାଜ ହେ ରମ୍ୟ ବନ୍ଦ୍ୟ ଯା ସୁଷମା । ୪ ।
ଜୀବ ଥିବା ଯାକ ବିହି
ବିଷୟ ବରଜି ବସିଲେ କହି
ରସରାଜ ହେ ଶୋଭା ଶେଷ ହେବ ନାହିଁ । ୫ ।
ଥାଉ ମାଧୁରୀର ଧୂରି
ତୁମ୍ଭେ ତା ପାଶେ ଥିଲେ ବଂଶୀଧାରୀ
ରସରାଜ ହେ ଦିଶିବ ସୁନାଟା ପରି । ୬ ।
ଅମ୍ବା ବଳମ୍ବା ରାତିରେ
ତୋଷି ହେଉଥିଲେ ବସି ଗୃହରେ
ସହଚରୀ ରେ ଅଶନ କଲା କାଳରେ । ୭ ।
ଶ୍ୟାମସୁନ୍ଦରକୁ ମୋର
ଏକା ରାଧିକା ଥିଲା ପଟାନ୍ତର
ବୋଲୁଁ ଜନନୀ ନାମ ଶୁଣିଲି ତାହାର । ୮ ।
କୃଷ୍ଣ କହନ୍ତି ବୟସ
ଭାଷ କେତେ ହୋଇଥିବ ବରଷ
ସହଚରୀ ରେ ବୋଲୁ ବୃନ୍ଦା ହସ ହସ । ୯ ।
ହେ ନୂତନ ରଣ ରଣ
ଯୌବନ ଲକ୍ଷ୍ମୀ ତା ପାଦେ ଶରଣ
ରସରାଜ ହେ ହୋଇ ସାରିଲାଣି ଜାଣ । ୧୦ ।
ବୟସ ଏଗାର ବାର
ଭିତରେ ପରି ହେଉଛି ଗୋଚର
ରସରାଜ ହେ ସେ ସାଧ୍ୱୀ ଶିରୋମଣିରେ । ୧୧ ।
ବ୍ରଜବାସୀଙ୍କ ନୟନ
ସମ୍ପତ୍ତି ସେ ଶ୍ରୀ କିଶୋରୀ ରଚନ
ରସରାଜ ହେ ଆହା ଦିଶୁଛି ବଦନ । ୧୨ ।
ଛଡ଼ାଇ ହୃଦୟ ମସୀ
ଗୋଟିଏ ହୋଇଲେ କୋଟିଏ ଶଶୀ
ରସରାଜ ହେ ରୁକ୍ଷ ପରି ଯିବ ଦିଶି । ୧୩ ।
ପରାନନ୍ଦ ସ୍ୱରୂପିଣୀ
ଘୋଟିଛି ଯା କୀର୍ତ୍ତି ଜଗତ ଶ୍ରେଣୀ
ରସରାଜ ହେ ସେ ସଦ୍ଗୁଣ ଗୁଣ ଖଣି । ୧୪ ।
ଦେହଳୀରେ ଗଲେ ଚାଲି
ପଦାବ୍ଜ ଚିହ୍ନକୁ ଚୁମ୍ବୁଛି ଅଳି
ରସରାଜ ହେ ଅଙ୍ଗମୋଦ ନୋହେ କଳି । ୧୫ ।
ଶ୍ରୀ ନିଟିଳାଳକାବଳୀ
କଳାମେଘ ତଳେ ରହିଲା ଭଳି
ରସରାଜ ହେ ଦିଶେ ଅଚଳ ବିଜୁଳି । ୧୬ ।