(ଦୀନବନ୍ଧୁରାଜ— ରାଗ ତୋଡ଼ି)
କେଉଁ ଦୀନଜନ ଘୋର ଦୁଃଖ ଲଭି ମନରେ
ଦୁଃଖ ନିବେଦନା କରେ ନିଜ ପ୍ରଭୁ
ଶ୍ରୀ ରାଧାକାନ୍ତ ଛାମୁରେ । ଘୋଷା ।
ହେ ପ୍ରଭୁ କର ମୋରେ ଅବଧାନ
ସଦୟ ବା ନିର୍ଦ୍ଦୟ ବା ହୁଅ
ତୁମ୍ଭ ବିନା ତ ମୋ ନାହିଁ ଆନ ହେ । ୧ ।
ପ୍ରଭୁ ମୋ ଅପରାଧ ବଳରୁ
ସର୍ବଜନ ହୋଇଲେଣି ଦୁଃଖୀ
ଏଥି ଯେ ଉଚିତ ବିଚାରି ହେ ପ୍ରଭୁ
ତୁମ୍ଭ ସ୍ଥାନ କର ସୁଖୀ । ୨ ।
ଯମନ ଶମନ ପରା ବେଢ଼ିଛନ୍ତି
ଗମନ ଶକ୍ତି ମୋ ନାହିଁ
ବାତଘାତ ବଜ୍ରଘାତରୁ ବଳିଛି
ସୁଖ ଲେଶ ମୋର କାହିଁ । ୩ ।
ମୋ ଦଶା ଦେଖି ଛାଡ଼ିଲେଣି କୁଟୁମ୍ବ
ଭୃତ୍ୟ ମିତ୍ରାଦି ସକଳେ
ଜାଣୁ ନାହିଁ କେଉଁ ହେତୁରୁ ରହିଛି
ପରାଣ ଅତି ବିକଳେ । ୪ ।
ତୁମ୍ଭେ ମୋ ପ୍ରଭୁ କୁଳଦେବ ଏ ଦୁଃଖ
ନାଶିବ କେ ତୁମ୍ଭ ବିନା
ଜୀବନ ଥାଇ ମୃତ୍ୟୁ ପ୍ରାୟେ ହେବାର
ଏ ଲଜ୍ଜ୍ୟା ତୁମ୍ଭର ସିନା । ୫ ।
ଦିନେ ତୁମ୍ଭ ଜନ ସଙ୍ଗେ ତୁମ୍ଭ ମୂର୍ତ୍ତି
ଶୋଭା ନ କଲି ଲୋକନ
ବୋଲେ ଦୀନବନ୍ଧୁ ବ୍ୟର୍ଥ ଜନ୍ମ ହେଲା
ଧିକ ହାରି ମୋ ଜୀବନ । ୬ ।