(ଯଦୁମଣି— ରାଗ ଦେଶବରାଡ଼ି, ତାଳ ଝୁଲା)
କି ଭଙ୍ଗୀରେ ଗଲା ତ ଚାଲି
ମୋ ଧନ ମଦନ କେଳି ଖିଆଲି । ଘୋଷା ।
ଧନ୍ୟ ତାର ଚାହିଁବା ଛଟା
ଯୁବା ପୁଂସ ଧଇର୍ଯ୍ୟ କଟା
ଭୂରୁନଚା ଖଣ୍ଡ ସୁରେଶ କୋଦଣ୍ଡ
ଟଙ୍କାର ଗର୍ବକୁ ଦିଏ ନକାଲି । ୧ ।
ତାର ଯେଉଁ ମୁରୁକି ହସା
ତାରାନାଥୁଁ ଅମୀୟ ଖସା
ରଦ ବସନରେ ଦଶନ ଦଂଶାଟି
କେଳତି ପତିର ସୁତୀକ୍ଷ୍ଣ ଭାଲି । ୨ ।
ସେ ଯେ ସଜ ପଙ୍କଜବାସୀ
ବାସ କରପୁର ସୁହାସୀ
ପରବତ କୁଚା ପରବ ଶର୍ବରୀ
ବଲ୍ଲଭ ଲପନା ଗେହ୍ଲା ନିହାଲୀ । ୩ ।
ରସେ ଯଦୁମଣି ବଦତି
ଅଶେଷ ପା ଚାତୁରୀ ଗତି
ନ ସେବି ଥିବ ଯେ ହର ପାରବତୀ
ଲଭିବ କି ସେ ଏ ପରା ଛଇଳି । ୪ ।