(ଗୌରଚନ୍ଦ୍ର ଗଜପତି)
କି ଦେଖିଲି ବେଣୁପାଣିରେ ମିତଣୀ । ପଦ ।
କଳିନ୍ଦଜା କୂଳେ
ନୀପତରୁ ମୂଳେ
ଥିଲା ତ୍ରିଭଙ୍ଗିମା ଠାଣି । ୧ ।
ପୁରଟ ମୁକୁଟ
ଶିରେ ଝଟଝଟ
ପୁଚ୍ଛ ଗୁଚ୍ଛ ତାଏ ପୁଣି । ୨ ।
ତା କର୍ଣ୍ଣେ କୁଣ୍ଡଳ
ନାସା ମୋତିବାର
ଆହା କି ମନ୍ଦ ଦେଲାଣି । ୩ ।
ଚଳଚଳ ବେଣୀ
କୁଟିଳ ଚାହାଣୀ
ହୃଦୟ ଦେଲା ମୋ ହାଣି । ୪ ।
ଭାଲେ ଗୋରଚନା
ଅଧର ରଙ୍ଗିମା
ସ୍ମିତଯୁତ ମୃଦୁବାଣୀ । ୫ ।
ଗଳେ ତାର ହାର
ହୃଦେ ବନମାଳ
ନିନ୍ଦେ ଚେଳ ସୌଦାମିନୀ । ୬ ।
ଚରଣେ କିଙ୍କିଣି
ପ୍ରେମେ ଅନୁକ୍ଷଣି
ଶବ୍ଦ କରେ କିଣିକିଣି । ୭ ।
ସେ ଶ୍ୟାମଳ ତନୁ
ଅନାଉଁ ଅତନୁ
ଶର ବିନ୍ଧେ ମୋତେ ଟାଣି । ୮ ।
ଶ୍ରୀମତୀଙ୍କ ଭାବ
ଗୌରଚନ୍ଦ୍ର ଦେବ
ଗଜପତି ସଦା ଭଣି । ୯ ।